ରଥଯାତ୍ରାବେଳେ ବିପଦପୂର୍ଣ୍ଣ ରେଳଯାତ୍ରାକୁ ବାରଣ

ଭୁବନେଶ୍ୱର,୭।୭(ଅନୁରାଧା ମହାରଣା)ରଥଯାତ୍ରା ମହୋତ୍ସବ ସମୟରେ ଟ୍ରେନ୍‌ଗୁଡିକରେ ମାତ୍ରାଧିକ ଭିଡ଼ ହୋଇଥାଏ। ବିଶେଷକରି ପୁରୀ ଷ୍ଟେଶନରେ ଅତ୍ୟଧିକ ଭିଡ଼ ରହିଥାଏ। ଲୋକେ ବିପଦପୂର୍ଣ୍ଣ ଭାବେ ଟ୍ରେନ୍‌ରେ ଯାତ୍ରା କରିଥାନ୍ତି। ତେବେ ଏହାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ଯାତ୍ରୀ ସଚେତନା ଅଭିଯାନ ଆରମ୍ଭ ହୋଇଛି। ଯାତ୍ରୀଙ୍କୁ ଫୁଟ୍‌ବୋର୍ଡ, ବଫର୍‌ କିମ୍ବା ଟ୍ରେନ୍‌ କମ୍ପାର୍ଟମେଣ୍ଟର ଛାତ ଉପରେ ଯାତ୍ରା କରିବା ଭଳି ବିପଦପୂର୍ଣ୍ଣ ଆଚରଣରୁ ନିବୃତ୍ତ ରହିବାକୁ ଅନୁରୋଧ କରାଯାଇଛି। ସେହିପରି ଯାତ୍ରା ସମୟରେ ଯାତ୍ରୀମାନେ କୌଣସି ଜ୍ୱଳନ ଜିନିଷ ନ ନେବାକୁ ଅନୁରୋଧ କରାଯାଇଛି। ଠକେଇର ଭୟ ରହୁଥିବାରୁ ଅପରିଚିତ ବ୍ୟକ୍ତିଙ୍କଠାରୁ ଖାଦ୍ୟ କିମ୍ବା ପାନୀୟ ଗ୍ରହଣ ନ କରିବା ଏବଂ ସନ୍ଦେହଜନକ ବ୍ୟାଗ କିମ୍ବା ଜିନିଷ ନ ଛୁଇଁବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ଭିଡ଼ ନିୟନ୍ତ୍ରଣ ଏବଂ ଅସାମାଜିକ କାର୍ଯ୍ୟକଳାପ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ରେଳ ସୁରକ୍ଷା ବଳ (ଆରପିଏଫ) କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ନିରନ୍ତର ଯାତାୟାତ ଓ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ସଜାଗ ରହିବା, ସମସ୍ତ ଯାତ୍ରୀ, ବିଶେଷକରି ତୀର୍ଥଯାତ୍ରୀ ଏବଂ ଭକ୍ତଙ୍କ ସୁରକ୍ଷା ତଥା ନିରାପତ୍ତାକୁ ସୁନିଶ୍ଚିତ କରିବା ପାଇଁ ଆର୍‌ପିଏଫ କର୍ମଚାରୀ ଓ ସୁରକ୍ଷାକର୍ମୀଙ୍କୁ ମଧ୍ୟ ନିୟୋଜିତ କରାଯାଇଛି। ଚଳିତବର୍ଷ ରଥଯାତ୍ରା ସମୟରେ ଯାତ୍ରୀ ଭିଡ଼ ଏଡ଼ାଇବା ପାଇଁ ପୂର୍ବତଟ ରେଳପଥ ୩୧୫ରୁ ଅଧିକ ସ୍ବତନ୍ତ୍ର ଟ୍ରେନ ଓଡ଼ିଶାର ପ୍ରାୟ ସମସ୍ତ ଜିଲା ସହିତ ପଶ୍ଚିମବଙ୍ଗ, ଛତିଶଗଡ ଏବଂ ଆନ୍ଧ୍ରପ୍ରଦେଶର ବିଭିନ୍ନ ସ୍ଥାନରୁ ଚଳାଚଳ ପାଇଁ ଘୋଷଣା କରିଛି। ଏହି ଅତିରିକ୍ତ ଟ୍ରେନ୍‌ଗୁଡିକ ଗୁଣ୍ଡିଚା ଯାତ୍ରା, ସା ଦର୍ଶନ, ବାହୁଡା ଯାତ୍ରା, ସୁନାବେଶ ଏବଂ ଅଧରପଣା ଦିବସରେଯୋଗଦେଉଥିବା ତୀର୍ଥଯାତ୍ରୀଙ୍କ ଯାତ୍ରା ସୁବିଧା ପ୍ରତି ଧ୍ୟାନ ଦିଆଯାଇ ଚଳାଚଳ କରାଯାଇଛି। ଯାତ୍ରୀଙ୍କ ସୁବିଧା ପାଇଁ ପ୍ରମୁଖ ସ୍ଥାନରେ ଅତିରିକ୍ତ ଟିକେଟ କାଉଣ୍ଟର, ଅନୁସନ୍ଧାନ କାଉଣ୍ଟର ଏବଂ ସୂଚନା କେନ୍ଦ୍ର ବ୍ୟବସ୍ଥା କରାଯାଇଛି। ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବା ପାଇଁ କ୍ୟାଟରିଂ ସେବା, ପରିମଳ ସୁବିଧା, ଚିକିତ୍ସା ସହାୟତା ବୁଥ୍‌ ଏବଂ ବର୍ଦ୍ଧିତ ସୁରକ୍ଷା ବ୍ୟବସ୍ଥା ସହିତ ସ୍ବତନ୍ତ୍ର ସୁବିଧା କରାଯାଇଛି। ପୂର୍ବତଟ ରେଳପଥ ଶ୍ରୀମନ୍ଦିର ପ୍ରଶାସନକୁ ସହଯୋଗ ପ୍ରଦାନ କରିବା ସହ ତାଲିମପ୍ରାପ୍ତ କର୍ମଚାରୀ ଏବଂ ରଥଯାତ୍ରା ଉତ୍ସବ ପାଇଁ ଆବଶ୍ୟକ ସାମଗ୍ରୀ ଯୋଗାଇଥାଏ ବୋଲି ସୂଚନା ଦିଆଯାଇଛି।