ସମନ୍ବୟ ରଖି ଶୀଘ୍ର କାମ ସାରିବାକୁ ତାଗିଦ

ସମ୍ବଲପୁର,୩୦।୭ (ଶୁଭାଶିଷ ପାଢୀ): ପୂର୍ବତଟ ରେଳପଥ ମହାପ୍ରବନ୍ଧକ ମନୋଜ ଶର୍ମା ଶନିବାର ସମ୍ବଲପୁର ଗସ୍ତରେ ଆସି ରେଳମଣ୍ଡଳ ଅନ୍ତର୍ଗତ ବିଭିନ୍ନ ପ୍ରକଳ୍ପ କାମର ସମୀକ୍ଷା କରିଥିଲେ। ସମ୍ବଲପୁର ରେଳମଣ୍ଡଳ ଅଫିସରେ ଅନୁଷ୍ଠିତ ବୈଠକରେ ମଣ୍ଡଳ ପ୍ରବନ୍ଧକ ବିନିତ ସିଂ ଓ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ। ମହାପ୍ରବନ୍ଧକ ଶର୍ମା ସରଲା ଷ୍ଟେଶନରେ ମାଲବାହୀ ଟ୍ରେନ ୱାଗନ୍‌ଗୁଡିକର ରୁଟିନ୍‌ ଓଭର-ହାଉଲିଂ ସୁବିଧା ସହିତ ମାଲବାହୀ ଟ୍ରେନ୍‌ ରକ୍ଷଣାବେକ୍ଷଣ ନିରୀକ୍ଷଣ କରି ଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ତାଗିଦ କରିଥିଲେ। ପରେ ସେ ହୀରାକୁଦ ଷ୍ଟେଶନ ନିରୀକ୍ଷଣ ସହ ନିର୍ମାଣାଧୀନ ପ୍ରକଳ୍ପ ପରିଦର୍ଶନ କରିଥିଲେ। ରାଜ୍ୟ ସରକାରଙ୍କ ଅଧିକାରୀ ଓ କର୍ମଚାରୀଙ୍କ ସମେତ ହିତାଧିକାରୀଙ୍କ ସହ ସମନ୍ବୟ ରଖି ଶୀଘ୍ର କାମ ଶେଷ କରିବାକୁ କହିଥିଲେ। ରେଲଓ୍ବେ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଆର୍ଥତ୍କବର୍ଷ ୨୦୧୭- ୧୮ରେ ସରଲା ଷ୍ଟେଶନରେ ମାଲବାହୀ ଟ୍ରେନ ୱାଗନ୍‌ ଗୁଡିକର ରୁଟିନ୍‌ ଓଭର-ହାଉଲିଂ ସୁବିଧା ସହିତ ମାଲବାହୀ ଟ୍ରେନ୍‌ ରକ୍ଷଣାବେକ୍ଷଣ ପ୍ରକଳ୍ପର ଅନୁମୋଦନ କରାଯାଇଥିଲା ା ମାନେଶ୍ୱର ଷ୍ଟେଶନରେ ଏହା ପ୍ରତିଷ୍ଠା ପାଇଁ ପୂର୍ବରୁ ପ୍ରସ୍ତାବ ଦିଆଯାଇଥିଲା। ହେଲେ ସମସ୍ୟା ହେବାରୁ ପ୍ରକଳ୍ପକୁ ସରଲା ଷ୍ଟେଶନକୁ ସ୍ଥାନାନ୍ତର କରାଯାଇଥିଲା। ପ୍ରକଳ୍ପ ପାଇଁ ପ୍ରାୟ ୧୪୯.୩୭ କୋଟି ଟଙ୍କା ବ୍ୟୟ ଅଟକଳ ରହିିଛି। ଏହି ପ୍ରକଳ୍ପ ନିର୍ମାଣ ପାଇଁ ପୂର୍ବତଟ ରେଳପଥ ଓ ରାଇଟ୍ସ ମଧ୍ୟରେ ଏମ୍‌ଓୟୁ ସ୍ବାକ୍ଷରିତ ହୋଇଛି। ବର୍ତ୍ତମାନ ସୁଦ୍ଧା ପ୍ରକଳ୍ପର ୬୫% ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ କାର୍ଯ୍ୟ ଚାଲୁରହିଛି। ଓଡ଼ିଶାରେ ଚାଲିଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ସହିତ ଏହି ଅଞ୍ଚଳର ରେଳ ଭିତ୍ତିଭୂମି ବିକାଶ ପାଇଁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଅଗ୍ରାଧିକାର ଦେଉଛନ୍ତି। ସରଲା ଷ୍ଟେଶନରେ ମାଲବାହୀ ଟ୍ରେନ ୱାଗନ୍‌ଗୁଡିକର ରୁଟିନ୍‌ ଓଭର-ହାଉଲିଂ ସୁବିଧା ସହିତ ମାଲବାହୀ ଟ୍ରେନ୍‌ ରକ୍ଷଣାବେକ୍ଷଣ ଏହି ଅଞ୍ଚଳର ଅର୍ଥନୀତିକୁ ସୁଦୃଢ କରାଇବ ବୋଲି କୁହାଯାଇଛି।

Share