
ଦାରିଙ୍ଗବାଡ଼ି,୧୧ା୪: କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡ଼ି ପଞ୍ଚାୟତରେ ରହିଥିବା ଜନଜାତି ହାଟ କାମରେ ଆସୁନଥିବା ଶୀର୍ଷକ ଖବର କେବଳ ‘ଧରିତ୍ରୀ’ରେ ପ୍ରକାଶ ପାଇଥିଲା। ଏହା ପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ବାଲିଗୁଡ଼ା ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ)ର ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା ଘଟଣାକୁ ଗୁରୁତର ଭାବେ ନେଇଛନ୍ତି। ସେ ସିମନବାଡ଼ି ଗସ୍ତ କରି ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଭାତ ପ୍ରଧାନଙ୍କ ସହ ଆଲୋଚଜନା କରି ଶୀଘ୍ର ଏହାର ବିଜ୍ଞାପନ ବାହାର କରି କ୍ଷୁଦ୍ର ବ୍ୟବସାୟୀଙ୍କୁ ହାଟ ଗୃହ ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେ ଏଥିପାଇଁ ଅନୁସୂଚିତ ଜନଜାତି ସମ୍ପ୍ରଦାୟର ବ୍ୟବସାୟୀଙ୍କୁ ପ୍ରାଥମିକତା ଦେବାକୁ ନିର୍ଦ୍ଦେଶ ଦେବା ସହ ଆସନ୍ତା ୧୬ ସୁଦ୍ଧା ବିଜ୍ଞାପନ ବାହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ପ୍ରକାଶ ଯେ, ଦୀର୍ଘ ଏକ ଦଶନ୍ଧି ଧରି ଜନଜାତିଙ୍କ ହିତ ପାଇଁ ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ହାଟ ଗୃହ ନିର୍ମାଣ କରାଯାଇଥିଲା କିନ୍ତୁ କୌଣସି କାରଣରୁ ପଞ୍ଚାୟତ ହାଟ କରିବାରେ ବିଫଳ ହୋଇଥିଲା ପରବର୍ତ୍ତୀ ସମୟରେ ଉକ୍ତ ହାଟ ଗୃହକୁ ଆଇଟିଡିଏ ପଞ୍ଚାୟତକୁ ହସ୍ତାନ୍ତର କରିଥିଲା। ପଞ୍ଚାୟତ ହାଟ ଆରମ୍ଭ କରିବାକୁ ଏହାର ରୂପାନ୍ତର କରି ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଥିଲେ ମଧ୍ୟ ତାହା କାମରେ ଆସି ନ ଥିଲା। ସେପଟେ ଆଦିବାସୀ ସମ୍ପ୍ରଦାୟର ଅମଳ ସାମଗ୍ରୀ ଜାତୀୟ ରାଜପଥ ଉପରେ ଉଠା ଦୋକାନ କରି ପରିବାର ପ୍ରତିପୋଷଣ କରୁଥିବା ବେଳେ ଏକାଧିକ ଆଦିବାସୀ ବ୍ୟବସାୟୀ ପନିପରିବା ଓ ବିଭିନ୍ନ ବ୍ୟବସାୟ କରିବାକୁ ଏଣେ ତେଣେ ଉଠାଦୋକାନ ଖୋଲି ବ୍ୟବସାୟ କରୁଛନ୍ତି। ତେଣୁ ଦୀର୍ଘଦିନ ହେଲା ଜନଜାତିଙ୍କ ହିତରେ କରାଯାଇଥିବା ଜନଜାତି ହାଟ ଗୃହ କାମରେ ଆସୁ ନ ଥିବା ନେଇ ଆଦିବାସୀ ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।