ମୁକ୍ତ ଯୋଜନା ପ୍ରକଳ୍ପ ନିର୍ମାଣ ପ୍ରକ୍ରିୟା ଆରମ୍ଭ

ଗଞ୍ଜାମ,୨୩ା୬(ବିଦ୍ୟାଧର ସାହୁ): ୧୨ଟି ଓ୍ବାର୍ଡକୁ ନେଇ ଗଠିତ ଗଞ୍ଜାମ ଏନ୍‌ଏସିରେ ବିଭିନ୍ନ ପ୍ରକଳ୍ପ ନିର୍ମାଣ ପାଇଁ ୧ କୋଟି ୯୦ ଲକ୍ଷ ମଞ୍ଜୁର କରିଛନ୍ତି ରାଜ୍ୟ ସରକାର। ମୁକ୍ତା ଯୋଜନାରେ ଆସିଥିବା ଏହି ଅନୁଦାନରେ ସହରର ଉନ୍ନତିକରଣ କରାଯିବ। ଏହାର ପ୍ରକ୍ରିୟା ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ଏଥିପାଇଁ ସ୍ଥାନ ଚି଼ହ୍ନଟ ସରିଛି। ଏନେଇ କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର ନିର୍ମାଣ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପ ନିର୍ମାଣସ୍ଥଳ ଅନୁଧ୍ୟାନ କରିଛନ୍ତି। ଓ୍ବାର୍ଡ ନଂ ୧ ପଣ୍ଡାସାହି ଠାରେ ନିର୍ମାଣ କାର୍ଯ୍ୟ ଚାଲିଥିବା କଲ୍ୟାଣୀ ମଣ୍ଡପ ସମ୍ମୁଖରେ ପାର୍କିଂ ଓ ପାର୍କ ଖୁବ୍‌ଶୀଘ୍ର ନିର୍ମାଣ କରିବାକୁ ଯୋଜନା ପ୍ରସ୍ତୁତ ହୋଇଥିବା ଏନ୍‌ଏସି ଈଓ ସୂଚନା ଦେଇଛନ୍ତି l ଏଥିପାଇଁ ୧୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଥିବା ସେ କହିଛନ୍ତି। ମୁକ୍ତା ଯୋଜନାରେ ଏହି ଟଙ୍କା ଖର୍ଚ୍ଚ ହେବ। ଈଓଙ୍କ ଅନୁଧ୍ୟାନ ବେଳେ କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ପଣ୍ଡା, ମୁକ୍ତା ଯୋଜନା ଅଧିକାରୀ ଚିନ୍ମୟୀ ପୃଷ୍ଟି, ମହିଳା କନିଷ୍ଠ ଯନ୍ତ୍ରୀ ବିଷ୍ଣୁପ୍ରିୟା ସାବତ ପ୍ରମୁଖ ଉପସ୍ଥିତ ଥିଲେ।