ପ୍ରକଳ୍ପ ଅଛି, ମିଳୁନି ପାଣି: ବସୁଧା ଯୋଜନାରୁ ଗ୍ରାମବାସୀ ବଞ୍ଚିତ

କାଲିମେଳା, ୩ା୧୨(ଜୀବନକୃଷ୍ଣ ଦାସ)ମାଲକାନଗିରି ଜିଲା କାଲିମେଳା ବ୍ଲକ ତେଲରାଇ ପଞ୍ଚାୟତ ତେଲରାଇ ଗ୍ରାମରେ ପ୍ରକଳ୍ପ ଅଛି, କିନ୍ତୁ ପାଣି ମିଳୁନି। ଏହି ଗ୍ରାମରେ ଆଦିବାସୀ ସମ୍ପ୍ରଦାୟର ପ୍ରାୟ ୨୦୦ ପରିବାରର ୬ ସହରରୁ ଊର୍ଦ୍ଧ୍ୱ ଲୋକ ବସବାସ କରନ୍ତି l ଗ୍ରାମରେ ପ୍ରାୟ ୯୫ ପ୍ରତିଶତରୁ ଊର୍ଦ୍ଧ୍ୱ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଥିବା ବେଳେ ସେମାନେ ଚାଷ ଓ ଦିନ ମଜୁରିଆ ଭାବେ କାର୍ଯ୍ୟ କରି ପରିବାର ପୋଷନ୍ତି। ତେବେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚକରି ଲୋକଙ୍କ ପାଖରେ ପାନୀୟଜଳ ଯୋଗାଣ ବ୍ୟବସ୍ଥା କରିବା ପାଇଁ ବସୁଧା ଯୋଜନାରେ ଏକ ଜଳ ପ୍ରକଳ୍ପ କରିଛନ୍ତି l ଏଠାରେ ୫୦ ହଜାର ଲିଟର କ୍ଷମତା ବିଶିଷ୍ଟ ପାଣିଟାଙ୍କି ନିର୍ମାଣ କରାଯାଇଛି। ହେଲେ ବିଭାଗୀୟ ଅଧିକାରୀଙ୍କ ତଦାରଖର ଅଭାବ ଓ ପରିଚାଳନାଗତ ତ୍ରୁଟି ଯୋଗୁ ବର୍ତ୍ତମାନ ଲୋକେ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି l ତେଲରାଇ ଗ୍ରାମରେ ଏହି ସମସ୍ୟା ବର୍ଷ ଧରି ଲାଗି ରହିଥିବା ବେଳେ ଲୋକମାନେ ଅଭିଯୋଗକଲେ ମଧ୍ୟ ତା’ର ସମାଧାନ କରାଯାଇ ପାରୁନାହିଁ।
ସୂଚନା ଅନୁଯାୟୀ, ତେଲରାଇ ଗ୍ରାମରେ ଲୋକଙ୍କ ପାନୀୟ ଜଳ ସୁବିଧା ପାଇଁ ୭ ନଳକୂପ ରହିଛି l ସେଥିରୁ କେତୋଟି ଅଚଳ ଅବସ୍ଥାରେ ଥିବା ବେଳେ ବାକି ଯେଉଁ ନଳକୂପରୁ ପାଣି ବାହାରୁଛି ତାହା ପାନୀୟ ଜଳ ପାଇଁ ବ୍ୟବହାରଯୋଗ୍ୟ ହେଉନାହିଁ। ଏଥିସହ ବସୁଧା ଯୋଜନାରେ ଗ୍ରାମରେ ଏକ ଜଳ ପ୍ରକଳ୍ପ ରହିଛି। କିନ୍ତୁ ଉକ୍ତ ପ୍ରକଳ୍ପ ବୋରିଂ ବ୍ୟବସ୍ଥା ଠିକ୍‌ ନ ଥିବା ଏବଂ ବୋରିଂରୁ ଟାଙ୍କିକୁ ପାଣି ଠିକ୍‌ ଭାବେ ଉଠୁ ନ ଥିବାରୁ ସେଠାରେ ଥିବା ମୋଟର ବାରମ୍ବାର ଖରାପ ହେଉଛି। ଏହାଦ୍ୱାରା ପାଣି ଯୋଗାଣରେ ଅସୁବିଧା ହେଉଥିବା ଜଣାପଡ଼ିଛି। ଟାଙ୍କି ଥିଲେ ମଧ୍ୟ ତାହା ବର୍ଷ ବର୍ଷ ଧରି ସଫା ନ ହେବାରୁ ଭିତରେ ଶିଉଳି ଲାଗିବା ସହ ଅପରିଷ୍କାର ହୋଇ ପାଣିରୁ ଦୁର୍ଗନ୍ଧ ବାହାରୁଛି l
ଏପଟେ ପାଣି ନ ପାଇ ଗ୍ରାମର ମହିଳାମାନେ ରାତି ପାହିଲେ ହଣ୍ଡା, ଗରା, ବାଲ୍‌ଟି ଧରି ନାଳ କିମ୍ବା ଚୁଆରୁ ପାଣି ଆଣି ତାକୁ ନିତ୍ୟ ବ୍ୟବହାର୍ଯ୍ୟ ଓ ରୋଷେଇରେ ବ୍ୟହହାର କରୁଥିବା ଗ୍ରାମବାସୀ କହିିଛନ୍ତି। ଏ ନେଇ ତେଲରାଇ ଗ୍ରାମବାସୀ ବିଭାଗୀୟ ଯନ୍ତ୍ରୀଙ୍କଠାରୁ ଆରମ୍ଭକରି ବିଡିଓ ଏବଂ ଜିଲାପାଳଙ୍କୁ ମଧ୍ୟ ଲିଖିତ ଭାବେ ଜଣାଇଥିଲେ ସୁଦ୍ଧା ଲୋକଙ୍କ ସମସ୍ୟା ଦୂର ହୋଇପାରି ନ ଥିବା ଗ୍ରାମର ୱାର୍ଡମେମ୍ବର ଲକ୍ଷ୍ମୀ ମାଡକାମି, ଦଶରଥ ମାଢ଼ି, ଭୀମା ପଡିଆମି, ଲାଛା ପଡିଆମି, ରାମା କବାସି, ଭୀମା କବାସି, ଈଶ୍ୱର ଚନ୍ଦ୍ର ମାଡକାମି, ଦେବା ମାଡକାମି, ଗଙ୍ଗାଧର ମାଢ଼ି ଓ ଦେବା ପଡିଆମି ପ୍ରମୁଖ ଅଭିଯୋଗ କରିଛନ୍ତି। ଏ ନେଇ ତେଲରାଇ ସରପଞ୍ଚ ମୁତା ସୋଡ଼ିଙ୍କୁ ପଚାରିବାରୁ ଆମ ଗଁାରେ ପାଣି ସମସ୍ୟା ୭ ବର୍ଷ ଧରି ଲାଗି ରହିଛି। ଜଳ ପ୍ରକଳ୍ପ କାର୍ଯ୍ୟ ଠିକ୍‌ ଭାବେ ହୋଇନାହିଁ। ପାଣି ପଞ୍ଚାୟତ କମିଟି ମଧ୍ୟ ଠିକ୍‌ ଭାବେ କାର୍ଯ୍ୟ କରୁ ନ ଥିବା ଏବଂ ବିଦ୍ୟୁତ୍‌ ସଂଯୋଗ ଠିକ୍‌ ହୋଇ ନ ଥିବା ସେ କହିଛନ୍ତି l

Share