
ପଟ୍ଟାଙ୍ଗି,୨୨ା୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନ କୋଟିଆ ପଞ୍ଚାୟତକୁ କିଛି ଦିନ ହେବ ଆନ୍ଧ୍ରର ସିପିଆଇଏମ୍ ଦଳ ବାରମ୍ବାର ଅନୁପ୍ରବେଶ କରି ସୀମାନ୍ତ ଗ୍ରାମବାସୀଙ୍କୁ ଭ୍ରମିତ କରୁଛି। ଓଡ଼ିଶା ସରକାରଙ୍କ ବିରୋଧରେ ସ୍ବର ଉତ୍ତୋଳନ କରିବାକୁ ସୀମାନ୍ତବାସୀଙ୍କୁ ପ୍ରବର୍ତ୍ତାଉ ଥିବା ନେଇ ଖବର ପ୍ରକାଶ ପାଇଥିଲା। ଏହାପରେ ପଟ୍ଟାଙ୍ଗି ବ୍ଲକ୍ ପ୍ରଶାସନ ତଥା ବିଡିଓ ରାମକୃଷ୍ଣ ନାୟକ ଏବଂ ତହସିଲଦାର ଦେବେନ୍ଦ୍ର ବାହାଦୂର ସିଂ ଧାରୁଆ ୨ ଟିମ୍ ହୋଇ ପଞ୍ଚାୟତର ବିଭିନ୍ନ ଗ୍ରାମରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ସୂଚନାଯୋଗ୍ୟ, ଫେବୃଆରୀ ୧୯ରେ ଆନ୍ଧ୍ରର ସିପିଆଇଏମ୍ ଦଳର ବ୍ଲକ ପଦାଧିକାରୀ ଓ ଦଳୀୟ କର୍ମୀ ଉପରସେମ୍ବି, ତଳସେମ୍ବି ଓ ଧୁଳିପଦର ଆଦି ୩ ସୀମାନ୍ତ ଗ୍ରାମରେ ଅନୁପ୍ରବେଶ କରି ଓଡିଶା ସରକାରଙ୍କ ବିରୋଧରେ ଗ୍ରାମବାସୀଙ୍କୁ ପ୍ରବର୍ତ୍ତାଇ ଥିଲେ। ଏହାକୁ ଦୃଷ୍ଟିରେ ରଖି ବିଡିଓ ନାୟକ କୋଟିଆ ପଞ୍ଚାୟତର ୩ ଗ୍ରାମ ସହ ଝାଙ୍ଗରବାଲସା, ନେରିଡିବାଲସା, ଆରୁଜୁବାଲସା ଓ ତାଡିବାଲସା ଆଦି ଗାଁରେ ପହଞ୍ଚି ସୀମାନ୍ତବାସୀଙ୍କ ସହ ଆଲୋଚନା କରିଥିଲେ। ଆଧାର ସଂଶୋଧନ, ଆବାସ ଓ ପାନୀୟ ଜଳ ସମସ୍ୟାର ଅତିଶୀଘ୍ର ସମାଧାନ କରାଯିବ। ସେଥିପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଝାଙ୍ଗରବାଲସା ଗ୍ରାମରେ ଏକାକୀ ଜୀବନ ବିତାଉଥିବା ଜଣେ ବୃଦ୍ଧାଙ୍କୁ ସୁଭଦ୍ରା ଯୋଜନାରେ ସାମିଲ୍ କରିବା ସହ ଆବାସ ଯୋଗାଇ ଦିଆଯାଇପାରିବା ନେଇ ସମସ୍ତ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଥିଲେ। କୋଟିଆ ପଞ୍ଚାୟତ ଅଧିନରେ ଥିବା ଏଟି ଗାବଡାର ଗ୍ରାମକୁ ନୂତନ ରାସ୍ତା ସହ ପାନୀୟଜଳ ବ୍ୟବସ୍ଥା ପହଞ୍ଚିବା ନେଇ କନିଷ୍ଠ ଯନ୍ତ୍ରୀ ତରୁଣ ନାୟକଙ୍କୁ ପ୍ରକଳ୍ପ ପ୍ରସ୍ତୁତ କରିବାକୁ ବିଡିଓ ନାୟକ ନିର୍ଦ୍ଦେଶ ଦେଇଥିଲେ। ସୀମାନ୍ତବାସୀଙ୍କ ନିକଟରେ ପହଞ୍ଚି ବିଭିନ୍ନ ସମସ୍ୟା ସମ୍ପର୍କରେ ବିଡିଓ ଆଲୋଚନା କରିଥିବାରୁ ସମସ୍ୟା ସମାଧାନ ପାଇଁ ସ୍ବତନ୍ତ୍ର ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଅନୁରୋଧ କରିଥିଲେ।