ପରାଜୟ ସତ୍ତ୍ୱେ ରଖିଲେ ପ୍ରତିଶ୍ରୁତି

ମାଲକାନଗିରି,୩୧ା୩(ଡି.ଏନ.ଏ.): ନିକଟରେ ଶେଷ ହୋଇଥିବା ପୌର ନିର୍ବାଚନରେ ମାଲକାନଗିରି ପୌର ପରିଷଦରେ କଂଗ୍ରେସ ପକ୍ଷରୁ ଅଧ୍ୟକ୍ଷ ପଦ ପାଇଁ ଲଢ଼ି ହାରିଯାଇଥିଲେ ସାମାଜିକ କର୍ମୀ ଜି. ଶ୍ରୀନିବାସ ରାଓ। ତେବେ ନିର୍ବାଚନରେ ପରାଜିତ ହୋଇଥିଲେ ମଧ୍ୟ ସେ ଦେଇଥିବା ପ୍ରତିଶ୍ରୁତି ପାଳନ କରିଛନ୍ତି। ୯ ନମ୍ବର ଓ୍ବାର୍ଡର ଢମଣାଭଟ୍ଟା ସାହିରେ ଲୋକଙ୍କ ପାନୀୟ ଜଳ ସମସ୍ୟା ଦୂର କରିଛନ୍ତି। ନିଜସ୍ବ ଖର୍ଚ୍ଚରେ ସାହିବାସିନ୍ଦାଙ୍କ ପାଇଁ ଶ୍ରୀନିବାସ ଏକ ନଳକୂପ ଖୋଳି ଦେଇଛନ୍ତି। ନିର୍ବାଚନ ପ୍ରଚାର ସମୟରେ ସେ ପ୍ରଚାର ବେଳେ ପ୍ରତି ସାହିକୁ ସାହି ବୁଲି ଭୋଟରଙ୍କୁ ଭୋଟ ପାଇଁ ନିବେଦନ କରିଥିଲେ। ଅନେକ ସ୍ଥାନରେ ଲୋକେ ତାଙ୍କୁ ନିଜ ସାହିରେ ଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଜଣାଇଥିଲେ। ନିର୍ବାଚନରେ ବିଜୟୀ ହେଲେ ଏହି ସମସ୍ୟାଗୁଡିକର ସମାଧାନ କରିବେ ବୋଲି ଶ୍ରୀନିବାସ ପ୍ରତିଶ୍ରୁତି ଦେଇଥିଲେ। ତେବେ ଶ୍ରୀନିବାସ ନିର୍ବାଚନରେ ହାରିଯାଇଥିଲେ। ଏହି ଓ୍ବାର୍ଡରେ ବିଜେଡିର ଅଧ୍ୟକ୍ଷ ପ୍ରାର୍ଥୀ ମନୋଜ ବାରିକ ବିଜୟୀ ହୋଇଥିଲେ। ଏହା ସତ୍ତ୍ୱେ ଶ୍ରୀନିବାସ ଲୋକଙ୍କ ସହ ଅଛନ୍ତି। ୯ ନମ୍ବର ଓ୍ବାର୍ଡରେ ପାନୀୟ ଜଳ ପାଇଁ ନଳକୂପ ଖୋଳି ସେ ଏହାର ପ୍ରମାଣ ଦେଇଛନ୍ତି। ଦେଇଥିବା ପ୍ରତିଶ୍ରୁତି ରଖି ସେ ୯ ନଂ. ୱାର୍ଡ ବାସିନ୍ଦାଙ୍କ ପାନୀୟ ଜଳ ସମସ୍ୟାର ସମାଧାନ କରିଛନ୍ତି। ନିଜସ୍ବ ଉଦ୍ୟମରେ ଏକ ନଳକୂପ ଖନନ କରାଇଛନ୍ତି। ତେବେ ଜିଲାପାଳଙ୍କ ବାସଭବନଠାରୁ ଅଳ୍ପ କିଛି ଦୂରରେ ଥିବା ଏହି ୱାର୍ଡରେ ବର୍ଷ ବର୍ଷ ଧରି ପାନୀୟ ଜଳ ସମସ୍ୟା ଲାଗି ରହିଥିଲେ ମଧ୍ୟ ଏହାର ସମାଧାନ ଦିଗରେ ପ୍ରଶାସନ ଆଗ୍ରହ ପ୍ରକାଶ କରିନାହିଁି। ସାମାଜିକ କର୍ମୀ ଶ୍ରୀନିବାସଙ୍କ ଏପରି ପଦକ୍ଷେପକୁ ମାଲକାନଗିରିବାସୀ ପ୍ରଶଂସା କରିଛନ୍ତି।