ଦେଇଥିବା ପ୍ରତିଶ୍ରୁତି ପାଳନ କରାଯାଉନି: ଭାଜପା

ଭୁବନେଶ୍ୱର, ୧।୧୦ ସୁନିତ୍‌ ମିଶ୍ର): ଲୋୟର ପିଏମ୍‌ଜିରେ ଗତ ୨୫ ତାରିଖରୁ ରାସ୍ତାରେ ଝାଡୁ ମାରି, ଦଣ୍ଡବତ କରି ଗାଁ ସାଥୀମାନେ ଦାବି ଉପସ୍ଥାପନା କରିଛନ୍ତି। ହେଲେ ରାଜ୍ୟ ସରକାର ଏଥିପ୍ରତି ଆଦୌ କର୍ଣ୍ଣପାତ କରୁନାହାନ୍ତି। ପଞ୍ଚାୟତ ଓ ବ୍ଲକରେ ଗାଁ ସାଥୀଙ୍କ ପ୍ରତି ଅବିଚାର କରାଯାଉଛି। ଅତୀତରେ ସରକାର ସେମାନଙ୍କ ସମ୍ପର୍କରେ ନେଇଥିବା ନିଷ୍ପତି ବାରମ୍ବାର ବଦଳାଇଛନ୍ତି। ଏଥି ସହିତ ଦେଇଥିବା ପ୍ରତିଶ୍ରୁତି ପାଳନ ନ କରିବାରୁ ସରକାରଙ୍କ ଉପରେ ସେମାନେ ଭରସା ତୁଟାଇଲେଣି ବୋଲି ଭାଜପା କହିଛି। ଭାଜପାର ଏକ ପ୍ରତିନିଧି ଦଳ ଶନିବାର ଗାଁ ସାଥୀଙ୍କ ଆନ୍ଦୋଳନ ସ୍ଥଳକୁ ଯାଇ ସେମାନଙ୍କୁ ଭେଟି ଆଲୋଚନା କରିଛନ୍ତି। ଏହି ଅବସରରେ ଭାଜପା ପକ୍ଷରୁ କୁହାଯାଇଛି, ସରକାର ବାରମ୍ବାର ପ୍ରତିଶ୍ରୁତି ଦେଇ ତାକୁ ପୂରଣ ନ କରିବା ଯୋଗୁ ବାଧ୍ୟହୋଇ ଗାଁ ସାଥୀମାନେ ରାଜଧାନୀରେ ଆନ୍ଦୋଳନ କରୁଛନ୍ତି। ସେମାନଙ୍କୁ ନ୍ୟାୟ ଓ ପାରିଶ୍ରମକ ବୃଦ୍ଧି ପାଇଁ ୮ ହଜାର ଟଙ୍କାରୁ ଅଧିକ ପ୍ରୋତ୍ସାହନ ରାଶି, ପଞ୍ଚାୟତିରାଜ ବିଭାଗରେ ସ୍ଥାୟୀ ନିଯୁକ୍ତି ଇତ୍ୟାଦି ସହ ୫ ଦଫା ଦାବି କରୁଛନ୍ତି। ମହାମତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଗାଁ  ସାଥୀ ଓ ପ୍ରତ୍ୟେକ ମେଟ୍‌ମାନଙ୍କୁ ୧୦୦ ଦିନରୁ ୧୦ ଦିନ ନିଶ୍ଚିତ କାମ ଯୋଗାଇବା ପାଇଁ ସରକାରୀ ନିଷ୍ପତି ହୋଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ନ ହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଭାଜପା କହିଛି।

Share