Categories: ଜାତୀୟ

ନିଜ ବୈଜ୍ଞାନିକ ମତବାଦ ପ୍ରଚାର କର

ନୂଆଦିଲ୍ଲୀ,୧୪ା୧୦: ବ୍ରିଟେନ୍‌ର ପ୍ରକୃତି ବିଜ୍ଞାନୀ ଚାଲର୍‌ସ ଡାର୍‌ଓ୍ବିନ୍‌ଙ୍କ ଇଭୋଲ୍ୟୁଶନ୍‌ ଥିଓରି (ବିବର୍ତ୍ତନବାଦ) ଅନୁସାରେ ସମସ୍ତ ଜୀବନ୍ତ ପ୍ରାଣୀଙ୍କ ବିବର୍ତ୍ତନ ଏକ ପ୍ରାକୃତିକ ଚୟନ ଜରିଆରେ ହୋଇଥାଏ। ସେହିପରି ପ୍ରଖ୍ୟାତ ବୈଜ୍ଞାନିକ ଆଲବର୍ଟ ଆଇନ୍‌ଷ୍ଟାଇନ ‘E = mc2’ ସମୀକରଣ ଜରିଆରେ ଦ୍ରବ୍ୟମାନ ଓ ଶକ୍ତିର ସମାନତା ପ୍ରତିପାଦିତ କରିଛନ୍ତି। ଡାର୍‌ଓ୍ବିନ୍‌ଙ୍କ ବିବର୍ତ୍ତନ ସିଦ୍ଧାନ୍ତ ଓ ଆଇନ୍‌ଷ୍ଟାଇଇନଙ୍କ ଆପେକ୍ଷିକ ତତ୍ତ୍ୱକୁ ଚ୍ୟାଲେଞ୍ଜକରି ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଖଲ ହୋଇଥିଲା। ଜଷ୍ଟିସ୍‌ ସଞ୍ଜୟ କିଷାନ କୌଲ ଏବଂ ସୁଧାଂଶୁ ଧୂଲିଆଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁକ୍ରବାର ଉକ୍ତ ଆବେଦନକୁ ଖାରଜ କରିଦେଇଛନ୍ତି। ଖଣ୍ଡପୀଠ କହିଛନ୍ତି, ଡାରଓ୍ବିନ୍‌ଙ୍କ ବିବର୍ତ୍ତନ ସିଦ୍ଧାନ୍ତ ଏବଂ ଆଇନ୍‌ଷ୍ଟାଇନଙ୍କ ସମୀକରଣକୁ ଆବେଦନକାରୀ ଭୁଲ୍‌ ପ୍ରମାଣିତ କରିବାକୁ ଚାହୁଁଛନ୍ତି। ଏଥିପାଇଁ ସେ ଏକ ମଞ୍ଚ ଲୋଡ଼ୁଛନ୍ତି। ଯଦି ତାଙ୍କର କିଛି ସ୍ବତନ୍ତ୍ର ଧାରଣା ଅଛି, ତେବେ ସେ ନିଜ ମତବାଦର ପ୍ରଚାରପ୍ରସାର କରିପାରନ୍ତି। ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୩୨ ଅଧୀନରେ ଏକ ରିଟ୍‌ ପିଟିଶନ ଦାଖଲ କରି ବୈଜ୍ଞାନିକ ମତବାଦଗୁଡ଼ିକୁ ଚ୍ୟାଲେଞ୍ଜ କରାଯାଇପାରିବ ନାହିଁ। ଏହି ଅନୁଚ୍ଛେଦ କେବଳ ମୌଳିକ ଅଧିକାର ସମ୍ପର୍କରେ କହିଥାଏ।
କୋର୍ଟରୁମ୍‌କୁ ଗୈରିକ ପୋଷାକ ପରିଧାନ କରି ଆସିଥିବା ରାଜକୁମାର ଏହି ଜନସ୍ବାର୍ଥ ମାମଲା (ପିଆଇଏଲ୍‌) ଦାଖଲ କରିଛନ୍ତି। ପୂର୍ବରୁ ବିଜ୍ଞାନ ଛାତ୍ର ଥିବା ରାଜକୁମାର ଏଥିରେ ଉଲ୍ଲେଖ କରିଛନ୍ତି, ଡାରଓ୍ବିନ୍‌ଙ୍କ ସିଦ୍ଧାନ୍ତ ଓ ଆଇନ୍‌ଷ୍ଟାଇନଙ୍କ ବିଷୟରେ ସ୍କୁଲ କଲେଜରେ ପଢ଼ିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ସେ ଗବେଷଣା କରି ଉଭୟଙ୍କ ମତବାଦ ଭୁଲ୍‌ ବୋଲି ଜାଣିବାକୁ ପାଇଛନ୍ତି। ତାଙ୍କ ଯୁକ୍ତି ଶୁଣିବା ପରେ ଖଣ୍ଡପୀଠ କହିଥିଲେ, ଆପଣ ନିଜ ଥିଓରିକୁ ଅଧିକ ବିକଶିତ କରି ତା’ର ପ୍ରଚାରପ୍ରସାର କରିପାରନ୍ତି। ଏହା ଉପରେ ସୁପ୍ରିମକୋର୍ଟ କ’ଣ କରିବେ? ୨ ବୈଜ୍ଞାନିକଙ୍କ ସିଦ୍ଧାନ୍ତ ଯୋଗୁ ଅନୁଚ୍ଛେଦ ୩୨ରେ ପ୍ରଦତ୍ତ ଆପଣଙ୍କର କେଉଁ ମୌଳିକ ଅଧିକାର ଉଲ୍ଲଂଘନ ହୋଇଛି ବୋଲି ସୁପ୍ରିମକୋର୍ଟ ରାଜକୁମାରଙ୍କୁ ପ୍ରଶ୍ନ କରିଛନ୍ତି।

Share