Categories: ବାଣିଜ୍ୟ

ସମିତି ଜରିଆରେ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ

ଭୁବନେଶ୍ୱର,୪।୮:ବେଦାନ୍ତ ଆଲୁମିନିୟମର ଶୁଭଲକ୍ଷ୍ମୀ ସମବାୟ ସମିତି ଅଧୀନ ଶୁଭଲକ୍ଷ୍ମୀ ଉଦ୍ୟୋଗିନୀ କାର୍ଯ୍ୟକ୍ରମର ୨ୟ ପର୍ଯ୍ୟାୟ ନିକଟରେ ଆରମ୍ଭ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ଜରିଆରେ ଝାଡୁ ନିର୍ମାଣ ଶିକ୍ଷା ସ୍ଥାନୀୟ ମହିଳାମାନଙ୍କୁ ଦିଆଯିବ। କିର୍ମିରା ବ୍ଲକର ବ୍ଲକ ଚେୟାରମ୍ୟାନ୍‌ ତଥା ଶୁଭଲକ୍ଷ୍ମୀ ସମବାୟ ସମିତିର ବୋର୍ଡ ସଦସ୍ୟ କ୍ରିଷ୍ଣପ୍ରିୟା ସାହୁଙ୍କ ଉପସ୍ଥିତିରେ ଝାରସୁଗୁଡାର କିର୍ମିରା ବ୍ଲକର ଛେଲିଆପଡା ଗ୍ରାମରେ ଉକ୍ତ ଉଦ୍ୟୋଗର ଶୁଭ ଉଦ୍‌ଘାଟନ କରାଯାଇଥିଲା। ସେହିଭଳି କୋଲାବିରା ଗ୍ରାମ ପଞ୍ଚାୟତର ସରପଞ୍ଚ ଚେତନିଆ ନାଏଙ୍କ ଉପସ୍ଥିତିରେ କୋଲାବିରା ଗ୍ରାମପଞ୍ଚାୟତର ତାରାଇକେଲା ଗ୍ରାମରେ ମଧ୍ୟ ଉକ୍ତ ଉଦ୍ୟୋଗର ଉଦ୍‌ଘାଟନ କରାଯାଇଥିଲା। ବିଶେଷ କରି ଝାଡୁ ତିଆରି ଉଦ୍ୟୋଗରେ କିର୍ମିରା ଏବଂ କୋଲାବିରା ବ୍ଲକର ୧୫ ଟି ଗ୍ରାମର ୧୦୦ରୁ ଅଧିକ ମହିଳାଙ୍କୁ ପ୍ରାକୃତିକ ଭାବେ ବଢୁଥିବା ଘାସ ସଂଗ୍ରହ ତଥା ପରବର୍ତ୍ତୀ ସମୟରେ ଇକୋ-ଫ୍ରେଣ୍ଡଲି ଝାଡୁ ଉତ୍ପାଦନରେ ଅଂଶଗ୍ରହଣ କରିବେ। ଏହି ଉଦ୍ୟୋଗ ଆସନ୍ତା ୬ ମାସ ମଧ୍ୟରେ ମାସକୁ ପ୍ରାୟ ୧୨,୦୦୦ଝାଡୁ ଉତ୍ପାଦନ କରିବାକୁ ଯୋଜନା କରିଛି, ପରବର୍ତ୍ତୀ ସମୟରେ ଉତ୍ପାଦନକୁ ଆହୁରି ବ୍ୟାପକ କରାଯିବ। ଶୁଭଲକ୍ଷ୍ମୀ ସମବାୟ ସମିତିର ସଦସ୍ୟଙ୍କ ଦ୍ୱାରା ପରିଚାଳିତ ଏକ ଝାଡୁ ସଂଗ୍ରହ କେନ୍ଦ୍ରରେ ଝାଡୁ ଗୁଡିକ ଜମା କରାଯିବା ସହିତ ବିକ୍ରୟ ପାଇଁ ହୋଲ୍‌ସେଲରମାନଙ୍କୁ ବଣ୍ଟନ କରାଯିବ।
ଏ ସମ୍ପର୍କରେ ବେଦାନ୍ତ ଲିମିଟେଡ୍‌ର ସିଓଓ (ଆଲୁମିନିୟମ୍‌ ବ୍ୟବସାୟ) ସୁନୀଲ ଗୁପ୍ତା କହିଛନ୍ତି, ଶୁଭଲକ୍ଷ୍ମୀ ସମବାୟ ସମିତି କର୍ପୋରେଟ୍‌ ଏବଂ ସମ୍ପ୍ରଦାୟର ସହଯୋଗରେ ସକାରାତ୍ମକ ଫଳାଫଳ ପାଇଁ ଏକ ଉଲ୍ଲେଖନୀୟ ପ୍ରମାଣ ଭାବେ ସମିତି ଛିଡା ହୋଇଛି। ସେହିଭଳି ଝାରସୁଗୁଡ଼ାର କିର୍ମିରା ବ୍ଲକ୍‌ ଚେୟାରମ୍ୟାନ୍‌ କ୍ରିଷ୍ଣାପ୍ରିୟା ସାହୁ କହିଥିଲେ ବେଦାନ୍ତ ଆଲୁମିନିୟମ୍‌ ଦ୍ୱାରା ଝାଡୁ ତିଆରି ଉଦ୍ୟୋଗ ଭଳି ଉଦ୍ୟମ ଗ୍ରାମୀଣ ମହିଳାମାନଙ୍କୁ ସଶକ୍ତ କରିବା ତଥା ଔଦ୍ୟୋଗିତା ଭାବର ବୃଦ୍ଧି ହେବାର ମାଧ୍ୟମ ପ୍ରଦାନ କରିଛି।

Share