ମାଣ୍ଡିଆର ପଦୋନ୍ନତି

ଡ. ମନୋରଞ୍ଜନ ପ୍ରଧାନ

 

ସରକାରୀ ସ୍ତରରେ ସ୍ବାସ୍ଥ୍ୟ ପ୍ରତି ଅତ୍ୟନ୍ତ ଉପାଦେୟ ଖାଦ୍ୟଶସ୍ୟ ମାଣ୍ଡିଆକୁ ପଦୋନ୍ନତି ମିଳିଛି। ସରକାରୀ ସ୍ତରରେ ମିଲେଟ ମିଶନର ସଫଳ ରୂପାୟନ ହେତୁ ମାଣ୍ଡିଆ ଅତ୍ୟନ୍ତ ଉପାଦେୟ ଖାଦ୍ୟଶସ୍ୟ ପରିଚୟ ପାଇଛି। ଫଳତଃ ଏହାର ଆଦର ଓ ଚାହିଦା ବଢ଼ିବାରେ ଲାଗିଛି। ଏପରି କି ବିଶିଷ୍ଟ ଡାକ୍ତର, ଚିକିତ୍ସା ବିଜ୍ଞାନୀ ତଥା ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କର ମାଣ୍ଡିଆର ଔଷଧୀୟ ଗୁଣ ଓ ଉତ୍କୃଷ୍ଟ ଖାଦ୍ୟ ଉତ୍ସ ସମ୍ବନ୍ଧରେ ଆଲୋଚନା ଓ ପରାମର୍ଶ ବିଶେଷକରି ଶିକ୍ଷିତବର୍ଗଙ୍କୁ ପ୍ରଭାବିତ କରିଛି।
ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ମାଣ୍ଡିଆ ଏକ ସୁପାଚ୍ୟ ଓ ସୁଷମ ଖାଦ୍ୟ। ଏହା ଅମ୍ଳପିତ୍ତ( ଏସିଡିଟି) ପାଇଁ ଅବ୍ୟର୍ଥ ଔଷଧ ଓ ଶରୀରକୁ କ୍ୟାଲ୍‌ସିୟମ ଯୋଗାଇଥାଏ। ସଂକ୍ଷେପରେ ଏହା ଏକ ନୀରୋଗ ଖାଦ୍ୟଶସ୍ୟ। ଆଜିକାଲି ହାଇଫାଇ ମଲଗୁଡ଼ିକରେ ମାଣ୍ଡିଆ ବିକ୍ରି ହେବା ଏକ ସୁଖଦ ଅନୁଭୂତି। କାରଣ ଦିନ ଥିଲା ଗ୍ରାମାଞ୍ଚଳରେ ମାଣ୍ଡିଆ କିଣିଲାବେଳେ ଲୋକେ ଲାଜ କରୁଥିଲେ। କେବଳ ସେତିକି ନୁହେଁ, ଆଜିକାଲି ମାଣ୍ଡିଆ ତିଆରି ଖାଦ୍ୟ ସାମଗ୍ରୀର ହୋଟେଲ ଓ ରେଷ୍ଟୁରାଣ୍ଟ ତିଆରି ହେଲାଣି; ଯେଉଁଠି ମାଣ୍ଡିଆ ତିଆରି ଇଡ୍‌ଲି, ବରା, ପୁରି, ଏପରି କି ବିଭିନ୍ନ ସୁସ୍ବାଦୁ ମିଠା ମଧ୍ୟ ବିକ୍ରି ହେଲାଣି। ସତ କହିବାକୁ ଗଲେ ଅଭାବୀ, ଗରିବ, ମଳି ମୁଣ୍ଡିଆ ତଥା ଗାଁଉଲୀଙ୍କ ଖାଦ୍ୟ ଭାବରେ ପରିଚିତ ଖାଦ୍ୟଶସ୍ୟ ମାଣ୍ଡିଆ ବଡ଼ବଡ଼ିଆ ତଥା ବିଶିଷ୍ଟ ବ୍ୟକ୍ତିଙ୍କ ଖାଦ୍ୟ ଥାଳିରେ ସ୍ଥାନ ପାଇ ତା’ର ପଦୋନ୍ନତି ହୋଇଛି ବୋଲି ଏ ଲେଖକର ବ୍ୟକ୍ତିଗତ ମତ। ଏଠାରେ ଏକ ବାସ୍ତବ ଉଦାହରଣ ଉପସ୍ଥାପନ କରୁଛି।
ମୋ ଭଳି ଅନେକଙ୍କ ଏ ଅନୁଭବ ଥିବ, ଯେଉଁମାନେ ଗାଁରେ ବିଶେଷକରି ଗରିବ ଘରେ ଜନ୍ମ ନେଇଥିବେ। ମନେପଡୁଛି ପିଲାବେଳ କଥା। ଚାଷଜମିରୁ ପ୍ରବଳ ମାଣ୍ଡିଆ ଉତ୍ପାଦନ ହୁଏ। ମାଣ୍ଡିଆର ଅଭାବୀ ବିକ୍ରି ଥାଏ। ସେତେବେଳରୁ ଗ୍ରାମାଞ୍ଚଳରେ ରହୁଥିବା ସିଂହଭାଗ ଗରିବଗୁରୁବାଙ୍କ ପ୍ରମୁଖ ଖାଦ୍ୟ ଥିଲା ମାଣ୍ଡିଆ ଜାଉ । ପ୍ରତିଦିନ ଭାତ ମୁଠାଏ ପାଇବା ସମସ୍ତଙ୍କ ଭାଗ୍ୟରେ ନ ଥିଲା। ସକାଳେ ଓ ମଧ୍ୟାହ୍ନରେ ମାଣ୍ଡିଆ ଜାଉ ଖାଇବା ଏକ ପ୍ରକାର ସ୍ଥାୟୀ ମେନ୍ୟୁ ଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ। ରାତିରେ ଭାତ କିମ୍ବା ମାଣ୍ଡିଆ ତିଆରି ଚକୁଳି, ଢୁଲକା, କାକରା ବା ତମ୍ପା (ମାଣ୍ଡିଆ ଜନ୍ତୁଣି) ଆଦି ଖାଦ୍ୟ ଖାଇବାକୁ ମିଳୁଥିଲା। ଏପରି କି ଚାଷଜମିକୁ ଚାଷକାର୍ଯ୍ୟ ବା ଜଳସେଚନ ପାଇଁ ଗଲାବେଳେ ଜାଉ ତୋରାଣି ନେଇ ଯାଉଥିଲେ। ମଜା କଥା ହେଉଛି ଘରର ମାଆବାପାଙ୍କ ନିର୍ଦ୍ଦେଶ ଥାଏ କି ଯଦି କେହି ବାହାର ଲୋକ କ’ଣ ଖାଇଲୁ ବୋଲି ପଚାରନ୍ତି ମାଣ୍ଡିଆ ବଦଳରେ ଭାତ ଖାଇବାକୁ କହିବା ପାଇଁ। କାରଣ ସେତେବେଳେ ମାଣ୍ଡିଆ ଏକ ପ୍ରକାର ଗରିବ ଅବହେଳିତ ଲୋକଙ୍କ ଖାଦ୍ୟ ଥିଲା। ତେଣୁ ମାଆବାପାମାନେ ଅନ୍ୟମାନଙ୍କ ଟାହିଟାପରା ବା ସମାଲୋଚନାରୁ ବର୍ତ୍ତିବାକୁ ଏଭଳି କହିବାକୁ ପରାମର୍ଶ ଦେଉଥିଲେ। ଅବଶ୍ୟ ଏକଥା ଅନୁଭବୀ ହିଁ କହିପାରିବ ବା ବିଶ୍ବାସ କରିପାରିବେ। ଗ୍ରାମାଞ୍ଚଳରେ ମାଣ୍ଡିଆ ପ୍ରତି ନକାରାତ୍ମକ ମନୋବୃତ୍ତି ଆଜି ମଧ୍ୟ ରହିଛି। ଏକ ଉଦାହରଣ ଉପସ୍ଥାପନ କରୁଛି।
କିଛିଦିନ ପୂର୍ବେ ଜଣେ ଆଦିବାସୀ ମହିଳା ଚାଷଜମିରୁ ଉତ୍ପାଦିତ ପନିପରିବା ନେଇ ଆସିଥିଲେ। ବୋଉ ତାଙ୍କ ସହ ଭଲ ମନ୍ଦ ଆଲୋଚନା ପରେ ଆମ ପାଇଁ ମାଣ୍ଡିଆ ଆଣି ଦେବାକୁ ବରାଦ ଦେଲେ। ଦୁଇ ଚାରି ଦିନ ପରେ ମହିଳା ଜଣକ କୋଡ଼ିଏ କେ.ଜି. ମାଣ୍ଡିଆ ଆଣିଦେଲେ। ମାଣ୍ଡିଆର ପାଉଣା ଦେଲା ବେଳେ ଚିରାଚରିତ ଭାବେ ମହିଳା ଜଣକୁ ତାଙ୍କ ପରିବାର ସମ୍ବନ୍ଧରେ ପଚାରିଲି। ଚାରି ପୁଅ ସହ ଗୋଟିଏ ଝିଅ ଅଛନ୍ତି ଏବଂ ଦୁଇ ପୁଅ ସହ ଝିଅ ମଧ୍ୟ କଲେଜରେ ପଢ଼ୁଥିବା କଥା କହିଲେ। ଅଭାବ ଅସୁବିଧା ସତ୍ତ୍ୱେ ପିଲାଙ୍କୁ ଉଚ୍ଚ ଶିକ୍ଷିତ କରେଇବା ପାଇଁ ତାଙ୍କ ପ୍ରୟାସକୁ ପ୍ରଶଂସା କରିବା ସହ ଆବଶ୍ୟକୀୟ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇ କୌତୂହଳରେ ପଚାରିଲି, ତୁମ ପିଲାମାନେ ମାଣ୍ଡିଆ ତିଆରି ଖାଦ୍ୟ ଖାଉଛନ୍ତି କି ନାହିଁ? ମହିଳା ଜଣକ କହିଲେ, ଆମେ ଖାଇବା ପାଇଁ ହିଁ ମାଣ୍ଡିଆ ଚାଷ ଅଳ୍ପଜମିରେ କରିଥିଲୁ। ହେଲେ ପିଲାମାନେ ମାଣ୍ଡିଆ ଖାଇବାକୁ ମନା କରିଦେଲେ। ତେଣୁ ଆମ ସ୍ବାମୀ ସ୍ତ୍ରୀ ଖାଇବା ପାଇଁ କିଛି ରଖି ତମକୁ ବିକି ଦେଲି। ତା’ ପରେ ପଚାରିଲି ପିଲାମାନେ କାହିଁକି ମାଣ୍ଡିଆ ପସନ୍ଦ କରୁନାହାନ୍ତି? ସେ କହିଲେ ଗାଁରେ ମ୍ୟାଗି, ଚାଓମିନ ଦୋକାନ ହେଲା ଦିନଠୁ ପିଲା ମାଣ୍ଡିଆ ଖାଇବାକୁ ମନା କରୁଛନ୍ତି। ଦୁଃଖର କଥା ମାଣ୍ଡିଆ ପେଯ ପିଇ ଦିନ ସାରା ଅକ୍ଳାନ୍ତ ପରିଶ୍ରମ କରିପାରିବାର ସାମର୍ଥ୍ୟ ରଖିପାରୁଥିବା ଆଦିବାସୀ ଚାଷୀର ପୁଅଝିଅମାନେ ପୁଷ୍ଟିଶସ୍ୟ ମାଣ୍ଡିଆକୁ ହତାଦର କରି ମଇଦା ତିଆରି ଚାଓମିନ, ମ୍ୟାଗି ଭଳି ଶରୀର ଅହିତକାରୀ ଚଟ୍‌ପଟି ଖାଦ୍ୟର ଅନ୍ଧ ଉପଭୋକ୍ତା। ବାସ୍ତବରେ ଏହା କେବଳ ସେ ଆଦିବାସୀ ମହିଳାଙ୍କ ଗାଁର ଚିତ୍ର ନୁହେଁ, ସମଗ୍ର ଦେଶର ଗାଁର ଚିତ୍ର। ମୋ ନିଜ ଗାଁରେ ମଧ୍ୟ ଫାଷ୍ଟଫୁଡ ଦୋକାନରେ ପ୍ରବଳ ଭିଡ଼। ଅର୍ଥାତ୍‌ ମାଣ୍ଡିଆ ଭଳି ଶରୀର ପାଇଁ ଅତି ଉପାଦେୟ ଖାଦ୍ୟଶସ୍ୟ, ଯାହା ଗ୍ରାମରେ ବାସ କରୁଥିବା ଗ୍ରାମବାସୀଙ୍କ ପାଇଁ ମୁଖ୍ୟ ଖାଦ୍ୟ ଥିଲା ତାହା ଆଜି ଆଧୁନିକ ପିଲା ଓ ଯୁବପିଢ଼ି ପାଇଁ ଅଲୋଡ଼ା କିନ୍ତୁ ସହରୀ ଉଚ୍ଚ ଶିକ୍ଷିତମାନଙ୍କ ପାଇଁ ଅତିପ୍ରିୟ ହେବାରେ ଲାଗିଛି।
ସୌଭାଗ୍ୟର ବିଷୟ ସରକାରଙ୍କ ପ୍ରୋତ୍ସାହନରେ ମାଣ୍ଡିଆ ମିଶନ ଜରିଆରେ ମାଣ୍ଡିଆର ଔଷଧୀୟ ଗୁଣ ଓ ଉପାଦେୟତା ସମ୍ପର୍କରେ ଜନସଚେତନତା ପାଇଁ ଚେଷ୍ଟା କରାଯାଉଛି। ମାଣ୍ଡିଆ ଭଳି ଖାଦ୍ୟଶସ୍ୟ ଉପଯୋଗ କରି ବିଭିନ୍ନ ଖାଦ୍ୟ ପଦାର୍ଥ ପ୍ରସ୍ତୁତ କରୁଥିବା ଉଦ୍ୟୋଗୀ ଓ ଉଦ୍ୟୋଗ ଗୁଡ଼ିକୁ ପ୍ରୋତ୍ସାହନ ଦେବା ସହ ପୁରସ୍କୃତ କରାଯାଉଛି। ଆଶାକରେ ଏହି ପ୍ରୋତ୍ସାହନ ଆହୁରି ବ୍ୟାପକ ହେଉ। ଗ୍ରାମାଞ୍ଚଳଠାରୁ ସହରାଞ୍ଚଳ ଯାଏ ସମସ୍ତେ ମାଣ୍ଡିଆ ଭଳି ଖାଦ୍ୟଶସ୍ୟଗୁଡ଼ିକର ଭରପୂର ଉପଯୋଗ କରନ୍ତୁ। କାରଣ ମାଣ୍ଡିଆର ପଦୋନ୍ନତି ଉଭୟ ଚାଷୀ ଓ ଉପଭୋକ୍ତା ସମସ୍ତଙ୍କୁ ନିରାମୟ ଜୀବନଯାପନର ବରଦାନ ହେବ।
ସହକାରୀ ପ୍ରଫେସର, ବିକ୍ରମ ଦେବ ବିଶ୍ବବିଦ୍ୟାଳୟ, ଜୟପୁର, କୋରାପୁଟ ମୋ:୯୪୩୭୯୧୪୮୧୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପେସାରେ ଶିକ୍ଷୟିତ୍ରୀ ହେଲେ ବି ଫୁଲଚାଷ ତାଙ୍କ ପାଇଁ ଆଣିଛି ସ୍ବତନ୍ତ୍ର ପରିଚୟ। କେରଳ ଥ୍ରିଶୂର ଜିଲା ବାସିନ୍ଦା ଲତିକା ସୁତାନ ବଗିଚାରେ ପଦ୍ମ ଓ...

ଅକାଳ ଜାତ ଶିଶୁ ଓ କଙ୍ଗାରୁ ଯତ୍ନ

ଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ୨୦୨୦ ମସିହାରେ କରିଥିବା ଏକ ଆକଳନ ଅନୁସାରେ ପ୍ରତିବର୍ଷ ଗର୍ଭଧାରଣର ସାଧାରଣ ସମୟକାଳ, ଅର୍ଥାତ୍‌ ୩୭ ସପ୍ତାହ ସମ୍ପୂର୍ଣ୍ଣ ହେବା ପୂର୍ବରୁ...

ଆଧୁନିକ ଦାସତ୍ୱ

ଦାସତ୍ୱ କଥା ଆଲୋଚନା ହେଲେ ଆମେରିକା କଥା ମନକୁ ଆସେ। ଏହା ସହ ଆଫ୍ରିକାରେ ଅଭାବ, ଅନଟନରେ ଶଢ଼ୁଥିବା ମଣିଷକୁ କ୍ରୀତଦାସ ରୂପେ କ୍ରୟ, ବିକ୍ରୟ...

ମିଥେନ୍‌ ଚିନ୍ତା

ପୃଥିବୀର ଉତ୍ତର ଗୋଲାର୍ଦ୍ଧରେ ଗ୍ରୀଷ୍ମ ଶେଷ ହେବାକୁ ଯାଉଛି। ଏହି ସମୟରେ ଏଠାରେ ଅତ୍ୟଧିକ ତାପମାତ୍ରା ବୃଦ୍ଧି ରେକର୍ଡ କରାଯାଇଛି। ୨୦୨୩କୁ ଟପି ୨୦୨୪ ସବୁଠୁ...

ଏଇ ଭାରତରେ

ମହିଳା ସଶକ୍ତୀକରଣ ଓ ଆମତ୍ନିର୍ଭରଶୀଳର ବାର୍ତ୍ତା ଦେଇଛନ୍ତି ବୀଣା ଟମ୍‌। କେରଳର ମାରଙ୍ଗାଟ୍ଟୁପାଲିରେ ରହୁଥିବା ଏହି ୫୬ ବର୍ଷୀୟା ମହିଳା ଜଣକ ନିଜ ବଗିଚାରେ ବିଭିନ୍ନ...

ଯୁଦ୍ଧ ଆଉ କେତେ କାଳ

ରମାଣୁ ବୋମାର ଜନକ ବୋଲି କୁହାଯାଉଥିବା ସୁପ୍ରସିଦ୍ଧ ଆମେରିକୀୟ ବିଜ୍ଞାନୀ କୁଲିଅସ୍‌ ରବର୍ଟ ଓପେନ୍‌ ହେମରଙ୍କ ଜୀବନୀ ଆଧାରିତ ଚଳଚ୍ଚିତ୍ର ‘ଓପେନ୍‌ହେମର’ ମୁକ୍ତିଲାଭ କରିସାରିଛି। ପରମାଣୁ...

ଈଶ୍ୱରଙ୍କ ସହ ବସବାସ

ସୃଷ୍ଟିର ପ୍ରାରମ୍ଭରୁ ମଣିଷ ଈଶ୍ୱରଙ୍କୁ ଅନ୍ବେଷଣ କରିବା ଆରମ୍ଭ କରିଆସିଛି। ସେମାନେ ପ୍ରକୃତିକୁ ଦେବତା ରୂପେ ପ୍ରାର୍ଥନାକଲେ। ବାୟୁଦେବ, ଅଗ୍ନିଦେବ, ବରୁଣଦେବ, ଇନ୍ଦ୍ରଦେବ, ସୂର୍ଯ୍ୟଦେବ ଓ...

ଧର୍ମଶାସ୍ତ୍ର ଓ ମନୁସ୍ମୃତି

ସମସ୍ତେ ଏବେ ମନୁସ୍ମୃତି ବିଷୟରେ ଆଲୋଚନା କରୁଛନ୍ତିି ଏବଂ ଜାତି ପ୍ରଥା ସହ ଏହାର ସମ୍ପର୍କ ରହିଛି ବୋଲି କହନ୍ତି। କିନ୍ତୁ ଏହା ପଛରେ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri