Categories: ବାଣିଜ୍ୟ

ମାଓବାଦୀ ପ୍ରଭାବିତ ଅଞ୍ଚଳରେ ଡାଲି ଉତ୍ପାଦନକୁ ପ୍ରୋତ୍ସାହନ

ଭୁବନେଶ୍ୱର,୯।୯,(ଅନୁରାଧା ମହାରଣା): ମାଓବାଦୀ ପ୍ରଭାବିତ ଅଞ୍ଚଳରେ ଡାଲି ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ଝାଡ଼ଖଣ୍ଡ ଓ ଛତିଶଗଡ଼ର ଆଦିବାସୀ ଅଞ୍ଚଳରେ ଡାଲି ଚାଷ ବଢ଼ାଇ କୃଷକଙ୍କ ଉତ୍ପାଦନ ଏବଂ ଆୟ ବୃଦ୍ଧି କରିବା ଲକ୍ଷ୍ୟ ରଖାଯାଇଥିବା ଜଣେ ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି। ଏହି ପଦକ୍ଷେପ ଅଣପାରମ୍ପରିକ ଡାଲି ଉତ୍ପାଦନ କ୍ଷେତ୍ର ଉପରେ ଧ୍ୟାନ ଦେଇଥାଏ। ଏହା ଏକ ପରୀକ୍ଷାମୂଳକ ପ୍ରକଳ୍ପ ହୋଇଥିବାବେଳେ ଯଦି ଏହା ସଫଳ ହୁଏ, ତେବେ ଏହା ସମଗ୍ର ଦେଶକୁ ବିସ୍ତାର ହୋଇପାରିବ, ଯାହା ଆମଦାନୀ ଉପରେ ଭାରତର ନିର୍ଭରଶୀଳତାକୁ ହ୍ରାସ କରିବ ବୋଲି ଆଶା କରାଯାଉଛି। ଏହି ପ୍ରକଳ୍ପ ପରିଚାଳନା ଦାୟିତ୍ୱକୁ ନ୍ୟାଶନାଲ କୋଅପରେଟିଭ ଗ୍ରାହକ ଫେଡେରେଶନ ଅଫ ଇଣ୍ଡିଆ ଲିମିଟେଡ (ଏନସିସିଏଫ)କୁ ପ୍ରଦାନ କରାଯାଇଛି। ଏହାର କାର୍ଯ୍ୟକାରିତା ପାଇଁ ଏହା ଝାଡ଼ଖଣ୍ଡର ୪ଟି ଜିଲା ଏବଂ ଛତିଶଗଡ଼ର ୫ଟି ଜିଲା ଚୟନ କରାଯାଇଛି। ଏନସିସିଏଫ ପରିଚାଳନା ନିର୍ଦ୍ଦେଶକ ଅନିସ ଜୋସେଫ ଚନ୍ଦ୍ର କହିଛନ୍ତି ଯେ, ମହିଳା ଚାଷୀଙ୍କ ସମେତ ଝାଡଖଣ୍ଡ ଏବଂ ଛତିଶଗଡର ମାଓବାଦୀ ପ୍ରଭାବିତ ତଥା ଆଦିବାସୀ ଅଞ୍ଚଳରେ ଆମେ ଏହି ଖରିଫ ଋତୁରେ ହରଡ଼ ଏବଂ ବିରି ଉତ୍ପାଦନକୁ ପ୍ରୋତ୍ସାହିତ କରୁଛୁ। ଛତିଶଗଡର ରାଜନନ୍ଦଗାଓଁ, ଯଶପୁର, ବସ୍ତର ଏବଂ ମୋହଲା ମନପୁର ଏବଂ ପାଲାମୁ, କାଟିହାର, ଡୁମକା ସହ ଏବଂ ଝାଡ଼ଖଣ୍ଡର ଗରୱା ଆଦି ଅଞ୍ଚଳକୁ ଏହି ପ୍ରକଳ୍ପ ଅନ୍ତର୍ଭୁକ୍ତ କରାଯାଇଥିବା ସୂଚନା ରହିଛି। ଖରିଫ ଋତୁ ପାଇଁ ହାଇବ୍ରିଡ ମଞ୍ଜି ବଣ୍ଟନ କରାଯାଇଛି। କୃଷକମାନଙ୍କୁ ସେମାନଙ୍କ ଉତ୍ପାଦକୁ ସମବାୟ ସମିତିରେ ବିକ୍ରୟ କରିବା ପାଇଁ ଏନସିସିଏଫ ପୋର୍ଟାଲରେ ଆଗୁଆ ପଞ୍ଜୀକରଣ କରିବାକୁ ପରାମର୍ଶ ଦିଆଯାଇଛି। ତେବେ ଏନସିସିଏଫ୍‌ ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପିରେ ) ରେ ଡାଲି କ୍ରୟ କରିବ ମାତ୍ର ଯଦି ବଜାର ମୂଲ୍ୟ ଏମଏସପିରୁ ଅଧିକ ହୁଏ, ତେବେ କୃଷକମାନେ ବେସରକାରୀ ବ୍ୟବସାୟୀଙ୍କୁ ବିକ୍ରି କରିପାରିବେ।

Share