ଟସର ଚାଷକୁ ପ୍ରୋତ୍ସାହନ

ଭୁବନେଶ୍ୱର,୪।୧୨(ବ୍ୟୁରୋ): କୋଭିଡ୍‌-୧୯ ସତ୍ତ୍ୱେ ରାଜ୍ୟ ସରକାର ବୁଣାକାର, ହସ୍ତଶିଳ୍ପୀ ଏବଂ ଚିତ୍ରକରମାନଙ୍କ ପାଇଁ ୧୧ ଲକ୍ଷ ମାନବ ଦିବସ ସୃଷ୍ଟି କରିପାରିଛନ୍ତି। ବୁଣାକାର, ହସ୍ତଶିଳ୍ପୀ ଓ ଚିତ୍ରକରମାନଙ୍କ ଉତ୍ପାଦିତ ୧୩୨.୨୯ କୋଟି ଟଙ୍କାର ସାମଗ୍ରୀ କ୍ରୟ କରାଯାଇଛି। ଗୁରୁବାର ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନଠାରେ ଡିଜିଟାଲ ମୋଡରେ ଆୟୋଜିତ ରାଜ୍ୟସ୍ତରୀୟ ସମୀକ୍ଷା ବୈଠକରେ ଏହି ସୂଚନା ଦିଆଯାଇଛି। କୋଭିଡ୍‌ ସମୟରେ ରାଜ୍ୟରେ ଟସର ଚାଷ ମାଧ୍ୟମରେ ଅଧିକରୁ ଅଧିକ ଜୀବିକା ସୃଷ୍ଟି କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଟସର ଶ୍ରମଭିତ୍ତିକ ହୋଇଥିବାରୁ ଏହାର ସମ୍ପ୍ରସାରଣ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ସେ କହିଛନ୍ତି। ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଅସନ ଏବଂ ଅର୍ଜୁନ ବୃକ୍ଷ ଟସର ପୋକଙ୍କ ପାଇଁ ପ୍ରାକୃତିକ ଖାଦ୍ୟ ଓ ପ୍ରଜନନ ସ୍ଥାନ। ଏହା ଜଙ୍ଗଲ ଅଞ୍ଚଳରେ ବହୁମାତ୍ରାରେ ଦେଖାଦେଇଥାଏ। ଏସବୁ ବୃକ୍ଷ ଜଙ୍ଗଲରେ ରୋପଣ କରିବାକୁ ଉନ୍ନୟନ କମିଶନର ପରାମର୍ଶ ଦେଇଛନ୍ତି। ହସ୍ତତନ୍ତ ଓ ବୟନ ଶିଳ୍ପ ସଚିବ ଶୁଭା ଶର୍ମା ବୈଠକରେ ସୂଚନା ଦେଇ କହିଛନ୍ତି ଯେ, ୨୦୨୦ ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ଟସର ଚାଷ କ୍ଷେତ୍ରରେ ୧୧ ଲକ୍ଷ ମାନବ ଦିବସ ସୃଷ୍ଟି କରାଯାଇଛି। ଶ୍ରମିକମାନଙ୍କୁ ମଜୁରି ବାବଦରେ ୨୪.୫୩ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏହାଛଡା ସାଇ ଏକ୍ସପୋର୍ଟ ଏବଂ ଆଦିତ୍ୟ ବିର୍ଲା ଗ୍ରୁପ୍‌ ଜରିଆରେ ବୟନଶିଳ୍ପ କ୍ଷେତ୍ରରେ ୪୪୦୦ ଲୋକଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ପ୍ରଦାନ କରାଯାଇଛି। ସେଥିରୁ ୮୭ ପ୍ରତିଶତ ମହିଳା ରହିଛନ୍ତି। ଏଥି ସହିତ ୨୦ ବର୍ଷ ଧରି ବୁଣାକାର ବୃତ୍ତିରେ ଥିବା ୧୨୬୭ ବରିଷ୍ଠ ବୁଣାକାରଙ୍କୁ ମାସିକ ୫୦୦ରୁ ୭୦୦ ଟଙ୍କା ଭତ୍ତା ପ୍ରଦାନ କରାଯାଉଛି। ଏହା ଛଡ଼ା ବୁଣାକାରମାନଙ୍କୁ ଓ୍ବାର୍କଶେଡ, ଯନ୍ତ୍ରପାତି , କ୍ରେଡିଟ୍‌ ଲିଙ୍କେଜ୍‌ ଏବଂ କଞ୍ଚାମାଲ ଯୋଗାଇ ଦିଆଯାଉଛି ବୋଲି ସଚିବ କହିଛନ୍ତି। ବୈଠକରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସଚିବ ଦେଓ ରଞ୍ଜନ କୁମାର ସିଂ, ବୟନ ଶିଳ୍ପ ବିଭାଗର ସ୍ବତନ୍ତ୍ର ସଚିବ ଶ୍ରୀକାନ୍ତ ପୃଷ୍ଟି ଅଂଶଗ୍ରହଣ କରିଥିଲେ।

Share