Categories: ଜାତୀୟ

ଉତ୍ତରଦାୟିତ୍ୱରୁ ଖସିବା ପାଇଁ ‘ଅନ୍ତର୍ଘାତୀ ସିଦ୍ଧାନ୍ତ’ର ପ୍ରଚାର

ନୂଆଦିଲ୍ଲୀ,୬ା୭(ପି.ଟି.): ୨୯୪ ଯାତ୍ରୀଙ୍କ ଜୀବନ ନେଇଥିବା ବାଲେଶ୍ୱର ଜିଲା ବାହାନଗା ଟ୍ରେନ୍‌ ଦୁର୍ଘଟଣା ପ୍ରସଙ୍ଗରେ ଉତ୍ତରଦାୟିତ୍ୱରୁ ଖସିଯିବା ପାଇଁ ରେଳ ମନ୍ତ୍ରଣାଳୟ ‘ଅନ୍ତର୍ଘାତୀ ସିଦ୍ଧାନ୍ତ’ର ପ୍ରଚାର ଚଳାଇଥିବା କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଦେଶରେ ବନ୍ଦେ ଭାରତ ଏକ୍ସପ୍ରେସ୍‌ଗୁଡ଼ିକର ଉଦ୍‌ଘାଟନ ଚାଲିଥିବାବେଳେ କେନ୍ଦ୍ର ସରକାରଙ୍କ ‘ଭୁଲ୍‌ ପ୍ରାଥମିକତା’ ଯୋଗୁ ବାଲେଶ୍ୱର ଟ୍ରେନ୍‌ ଟ୍ରାଜେଡି ଘଟିଲା। କେନ୍ଦ୍ର ହେଡ୍‌ଲାଇନ୍‌ ମ୍ୟାନେଜମେଣ୍ଟରେ ବ୍ୟସ୍ତ ରହିଛି ବୋଲି ଜୟରାମ ଟୁଇଟ୍‌ କରିଛନ୍ତି। ଭୁଲ୍‌ ସଙ୍କେତ ଯୋଗୁ ୩ଟି ଟ୍ରେନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ନେଇ କମିଶନର ଅଫ୍‌ ରେଲଓ୍ବେ ସେଫ୍ଟିଙ୍କ ଉଚ୍ଚସ୍ତରୀୟ ତଦନ୍ତରୁ ଜଣାପଡ଼ିବା ପରେ ଜୟରାମଙ୍କ ଏହି ମନ୍ତବ୍ୟ ଗୁରୁତ୍ୱ ବହନ କରେ। ଜୟରାମ ଆହୁରି କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନିଜ ଉତ୍ତରଦାୟିତ୍ୱରୁ ଖସିଯିବା ପାଇଁ ଅନ୍ତର୍ଘାତୀ ସିଦ୍ଧାନ୍ତର ପରିକଳ୍ପନା ଓ ପ୍ରଚାର ଚଳାଇଛନ୍ତି। ଲୋକେଶନ୍‌ ବକ୍ସର ଓ୍ବାୟରିଂରେ ଥିବା ଏକ ତ୍ରୁଟିକୁ ସିଗ୍‌ନାଲ ଆଣ୍ଡ୍‌ ଟେଲିକମ୍‌ (ଏସ୍‌ଆଣ୍ଡ୍‌ଟି) ଷ୍ଟାଫ୍‌ ଗତ ୫ ବର୍ଷ ମଧ୍ୟରେ ଧରି ନ ପାରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ସର୍କିଟ୍‌ଗୁଡ଼ିକର ଭୁଲ୍‌ ଲେବେଲିଂ ଓ ସର୍କିଟ୍‌ କାମ କରୁଛି କି ନାହିଁ ତାହା ଯାଞ୍ଚ ନ କରିବା ହେଉଛି ସବୁଠୁ ବଡ଼ ବିଫଳତା ବୋଲି ଜୟରାମ କହିଛନ୍ତି। ପ୍ରକାଶ ଯେ, ଜୁନ୍‌ ୨ରେ ବାହାନଗା ବଜାର ନିକଟରେ କରମଣ୍ଡଳ ଏକ୍ସପ୍ରେସ୍‌, ବେଙ୍ଗାଲୁରୁ-ହାଓଡା ସୁପରଫାଷ୍ଟ୍‌ ଏକ୍ସପ୍ରେସ୍‌ ଓ ଏକ ମାଲବାହୀ ଟ୍ରେନ୍‌ ମଧ୍ୟରେ ଧକ୍କା ହୋରୁ ୨୯୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧,୦୦୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ।

Share