ନିଜ୍ଜର ହତ୍ୟା ପ୍ରମାଣ ଭାରତକୁ ଦିଆଯାଇଛି: ଟ୍ରୁଡୋ

ଟରଣ୍ଟୋ,୨୪ା୯ : ବିଚ୍ଛିନ୍ନତାବାଦୀ ନେତା ହରଦୀପ୍‌ ସିଂ ନିଜ୍ଜର ହତ୍ୟା ସହ ଭାରତୀୟ ଏଜେଣ୍ଟ ସମ୍ପୃକ୍ତ ଥିବା ନେଇ ନିର୍ଭରଯୋଗ୍ୟ ଅଭିଯୋଗର ପ୍ରମାଣ ବହୁ ସପ୍ତାହ ପୂର୍ବରୁ ଭାରତକୁ ଦିଆଯାଇଥିବା କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ କହିଛନ୍ତି। ଏହି ସାଂଘାତିକ ଘଟଣାର ସତ୍ୟତା ବାହାର କରିବାରେ ନୂଆଦିଲ୍ଲୀ ଓଟାଓ୍ବା ସହ ଗଠନମୂଳକ ଭାବେ କାର୍ଯ୍ୟ କରିବା ଆମେ ଚାହୁଁ ବୋଲି ଟ୍ରୁଡୋ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କିଙ୍କ ସହ ମିଳିତ ଖବରଦାତା ସମ୍ମିଳନୀରେ କହିଛନ୍ତି। ଖଲିସ୍ତାନୀ ଆତଙ୍କବାଦୀ ନିଜ୍ଜରଙ୍କୁ ଗତ ଜୁନ୍‌ ୧୮ରେ ବ୍ରିଟିଶ କଲମ୍ବିଆରେ ହତ୍ୟା କରାଯାଇଥିଲା। ଏଥିରେ ଭାରତର ଗୋଇନ୍ଦା ସଂସ୍ଥାର ସମ୍ଭାବ୍ୟ ସମ୍ପୃକ୍ତି ଥିବାନେଇ ଟ୍ରୁଡୋ ବିସ୍ଫୋରକ ଅଭିଯୋଗ ଆଣିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବଢ଼ିଛି। କାନାଡ଼ା ଭାରତର କୂଟନୈତିକ ଅଧିକାରୀଙ୍କୁ ବହିଷ୍କାର କରିବା ପରେ ଯେସାକୁ ତେସା ନୀତିରେ ନୂଆଦିଲ୍ଲୀ ମଧ୍ୟ ସେମାନଙ୍କ କୂଟନୈତିକ ଅଧିକାରୀଙ୍କୁ ଦେଶ ଛାଡ଼ି ଚାଲିଯିବାକୁ ନିର୍ଦ୍ଦେଶ ଦେଇଥିଲେ।
ଅଷ୍ଟ୍ରେଲିଆ, କାନାଡା, ନ୍ୟୁଜିଲାଣ୍ଡ, ବ୍ରିଟେନ୍‌ ଏବଂ ଆମେରିକାକୁ ନେଇ ଗଠିତ ଗୋଇନ୍ଦା ସଂସ୍ଥା ଫାଇଭ୍‌ ଆଇଜ୍‌ ଏହାର ସହଯୋଗୀ ଦେଶଗୁଡ଼ିକୁ ନିଜ୍ଜର ହତ୍ୟା ସମ୍ପର୍କରେ ଗୋଇନ୍ଦା ରିପୋର୍ଟ ଦେଇଥିଲା ବୋଲି ଆମେରିକା କୂଟନୀତିଜ୍ଞ ପ୍ରଥମ ଥର ପାଇଁ ସ୍ବୀକାର କରିଛନ୍ତି। ଗୋଇନ୍ଦା ରିପୋର୍ଟ ପାଇବା ପରେ ହତ୍ୟାକାଣ୍ଡରେ ଭାରତୀୟ ଗୋଇନ୍ଦା ସଂସ୍ଥା ସମ୍ପୃକ୍ତ ଥିବା ଟ୍ରୁଡୋ ଅଭିଯୋଗ ଆଣିଥିଲେ ବୋଲି ଏକ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି। ହତ୍ୟାକାଣ୍ଡରେ ଭାରତର ସମ୍ପୃକ୍ତି ଅଭିଯୋଗକୁ ନେଇ ଆମେରିକା ଗଭୀର ଚିନ୍ତା ପ୍ରକଟ କରିଥିବା ଏହାର ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ କହିଛନ୍ତି। ତଦନ୍ତରେ ନୂଆଦିଲ୍ଲୀ ଓଟ୍ଟାଓ୍ବା ସହ ଏକାଠି କାମ କରିବା ଗୁରୁତ୍ୱପୂର୍ଣ୍ଣ ବୋଲି ସେ ମତ ଦେଇଛନ୍ତି।
ଅନ୍ୟପକ୍ଷରେ ଭାରତର ପୂର୍ବତନ ରାଷ୍ଟ୍ରଦୂତ ବିକାଶ ସ୍ବରୂପ କାନାଡା ପ୍ରଧାନମନ୍ତ୍ରୀଙ୍କ ଦାୟିତ୍ୱହୀନ ଅଭିଯୋଗକୁ ନିନ୍ଦା କରିଛନ୍ତି। ବିବାଦ ହ୍ରାସ କରିବା ସହ ସତ୍ୟ ପଦାକୁ ଆଣିବାରେ ଓଟାଓ୍ବା କାର୍ଯ୍ୟ କରୁ ବୋଲି ସେ କହିଛନ୍ତି। ଦୋଷ ପ୍ରମାଣ ନ ହେବା ପର୍ଯ୍ୟନ୍ତ ଜଣେ ନିର୍ଦ୍ଦୋଷ। ଆଇନକୁ ତା’ ବାଟରେ ଯିବାକୁ ଦିଆଯାଉ ବୋଲି ସ୍ବରୂପ କାନାଡା ସରକାରଙ୍କୁ ଚେତାଇ ଦେଇଛନ୍ତି। ସ୍ବରୂପ ୨୦୧୭ରୁ ୨୦୧୯ କାନାଡାରେ ଭାରତର ଉଚ୍ଚାୟୁକ୍ତ ଭାବେ କାର୍ଯ୍ୟ କରିଥିଲେ।

Share