Categories: ମେଟ୍ରୋ

ଭୁବନେଶ୍ୱରରୁ ଓଡ଼ିଶା ପ୍ରୋପାଗଣ୍ଡା ମୁଖ୍ୟ ଗିରଫ

ଭୁବନେଶ୍ୱର,୧୭।୮(ସତ୍ୟଜିତ୍‌ ରାଉତ)ଏସ୍‌ଟିଏ କ୍ରିପ୍ଟୋ ଟୋକନ୍‌’ ନାଁରେ ଲୋକଙ୍କୁ ଭୁଆଁ ବୁଲାଇ ହଜାରେ କୋଟିରୁ ଊର୍ଦ୍ଧ୍ୱ ଠକେଇ ମାମଲାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଭୁବନେଶ୍ୱରରୁ ଆଉଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ହେଲେ ରତ୍ନାକର ପଲାଇ (୪୫)। ରତ୍ନାକର ଓଡ଼ିଶା ଏସ୍‌ଟିଏର ପ୍ରୋପାଗଣ୍ଡା ମୁଖ୍ୟ ତଥା ସୋସିଆଲ୍‌ ମିଡିଆ ଏନ୍‌ଫ୍ଲିୟୁଏନ୍‌ସର୍‌ ଅଛନ୍ତି। ରତ୍ନାକରଙ୍କୁ ବୁଧବାର କଟକ ଓପିଆଇଡି କୋର୍ଟକୁ ଚାଲାଣ କରାଯିବା ପରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏହାପୂର୍ବରୁ ଏସ୍‌ଟିଏ ଭାରତ ମୁଖ୍ୟ ଗୁର୍‌ତେଜ୍‌ ସିଂ ସିଦ୍ଧୁ ଏବଂ ଓଡ଼ିଶା ମୁଖ୍ୟ ଭଦ୍ରକର ନୀରୋଦ ଦାସଙ୍କୁ ଇଓଡବ୍ଲ୍ୟୁ ଗିରଫ କରିଥିଲା। ଏବେ ଗିରଫ ସଂଖ୍ୟା ୩ରେ ପହଞ୍ଚତ୍ଥିବାବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ଇଓଡବ୍ଲ୍ୟୁ ପ୍ରୟାସ ଜାରି ରଖିଛି। ରତ୍ନାକର କର୍ନାଟକ ବିଶ୍ୱବିଦ୍ୟାଳୟରେ ଆଇଟିରେ ଏମ୍‌ଟେକ୍‌ କରିଛନ୍ତି। ସେ ନିଜକୁ ଇଣ୍ଟରନ୍ୟାଶନାଲ ସ୍ପିକର୍‌ ଓ ଇନ୍‌ଭେଷ୍ଟମେଣ୍ଟ ଗୁରୁ ଆଦି ବୋଲି କହୁଥିଲେ। ଗୁରୁତେଜ ଓ ନୀରୋଦଙ୍କ ଯୋଗାଯୋଗରେ ରହି ରତ୍ନାକର ଏସ୍‌ଟିଏର ଏକ ୟୁଟୁବ୍‌ ଚ୍ୟାନେଲ ଚଲାଉଥିଲେ। ଏପରିକି ବିଭିନ୍ନ ବ୍ୟାନ୍‌ର କରି ସେ ଏସ୍‌ଟିଏର ପ୍ରଚାର ପ୍ରସାର କରୁଥିଲେ। ରତ୍ନାକର ଅପ୍‌-ଲାଇନ୍‌ ମେମ୍ବର ହୋଇଥିବାବେଳେ ତାଙ୍କ ଅଧୀନରେ ବହୁ ଡାଉନ୍‌-ଲାଇନ୍‌ ମେମ୍ବର ରହିଛନ୍ତି। ରତ୍ନାକର ନୟାପଲ୍ଲୀରେ ‘ଲର୍ନ ଟୁ ଅର୍ନ’ ନାମରେ ଏକ ଇନ୍‌ଷ୍ଟିଚ୍ୟୁଟ୍‌ ମଧ୍ୟ ଖୋଲିଛନ୍ତି। ଏପରିକି ଗୋଆରେ ବଡ଼ କାର୍ଯ୍ୟକ୍ରମବେଳେ ରତ୍ନାକର ମଧ୍ୟ ସେଠାକୁ ଯାଇଥିଲେ। ତେବେ ରତ୍ନାକର ବହୁ ଲୋକଙ୍କୁ ଏସ୍‌ଟିଏରେ ଯୋଡ଼ିଥିବାରୁ ତାଙ୍କଠାରୁ ବହୁ ତଥ୍ୟ ପାଇବାକୁ ଇଓଡବ୍ଲ୍ୟୁ ଆଶା ରଖିଛି। ଏପରିକି ତାଙ୍କୁ ରିମାଣ୍ଡରେ ମଧ୍ୟ ଆଣି ଜେରା କରିବାକୁ ଯୋଜନା ଚାଲିଛି। ଅନ୍ୟପକ୍ଷରେ ଗୁର୍‌ତେଜ୍‌ ଓ ନୀରୋଦଙ୍କୁ ଦ୍ୱିତୀୟ ପର୍ଯ୍ୟାୟରେ ୫ଦିନିଆ ରିମାଣ୍ଡବେଳେ ଇଓଡବ୍ଲ୍ୟୁ ସେମାନଙ୍କଠୁ ବହୁ ତଥ୍ୟ ପାଇଛି। ବୁଧବାର ରିମାଣ୍ଡ ସରୁଥିବାରୁ ସେମାନଙ୍କୁ ଇଓଡବ୍ଲ୍ୟୁ ଆଉ ଥରେ ରିମାଣ୍ଡରେ ଆଣିବାକୁ ଯୋଜନା ରଖିଥିବା ସୂଚନା ମିଳିଛି। ସେପଟେ ୟୁରୋପୀୟ ନାଗରିକ ଡେଭିଡ୍‌ ଗେଜ୍‌ ଏହି ଠକେଇ ର଼୍ୟାକେଟର ମାଷ୍ଟରମାଇଣ୍ଡ ରହିଥିବାରୁ ତାଙ୍କୁ ମଧ୍ୟ ଠାବ କରିବାକୁ ଇଓଡବ୍ଲ୍ୟୁ ଉଦ୍ୟମ କରୁଛି।

Share