ଜେଲରେ ଉପଯୁକ୍ତ ଚିକିତ୍ସା ମିଳୁନି: ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ହାଇଦର

କଟକ ଅଫିସ,୨୪।୪: କରୋନାରେ ଆକ୍ରାନ୍ତ ହୋଇଥିବା ଗ୍ୟାଙ୍ଗଷ୍ଟର ସେଖ୍‌ ହାଇଦରଙ୍କୁ ଚୌଦ୍ୱାର ଜେଲରେ ଉପଯୁକ୍ତ ଚିକିତ୍ସା ମିଳୁନାହିଁ। ଅଧିକ ଚିକିତ୍ସା ଲାଗି ସେ ଶୁକ୍ରବାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ହାଇକୋର୍ଟ ତାଙ୍କର ସ୍ବାସ୍ଥ୍ୟ ସମ୍ପର୍କିତ ସମସ୍ତ ରେକର୍ଡପତ୍ର ଜେଲ କର୍ତ୍ତୃପକ୍ଷଙ୍କଠାରୁ ମଗାଇବାକୁ ସେ ପ୍ରାର୍ଥନା କରିଛନ୍ତି। ଏହି ରେକର୍ଡପତ୍ର ଆଧାରରେ ଅଦାଲତ ଆବଶ୍ୟକ ନିର୍ଦ୍ଦେଶ ଦେବାକୁ ହାଇଦର ତାଙ୍କ ପ୍ରାର୍ଥନାରେ ଉଲ୍ଲେଖ କରିଛନ୍ତି। ସୂଚନାଯୋଗ୍ୟ, ଏସ୍‌ସିବି ମେଡିକାଲ ସର୍ଜରି ବିଭାଗ ୫ନଂ. କ୍ୟାବିନ୍‌ରେ ରହି ଚିକିତ୍ସିତ ହେଉଥିବା ହାଇଦର ଗତ ୧୦ ତାରିଖ ଅପରାହ୍ନରେ ଫେରାର ହୋଇଯାଇଥିଲେ। ପରେ ତାଙ୍କୁ ତେଲଙ୍ଗାନାର ସାଙ୍ଗାରେଡ୍ଡୀ ଜିଲା ଜାହିରାବାଦ ଅଞ୍ଚଳରୁ ଗିରଫ କରାଯାଇ କଟକ ଅଣାଯାଇଥିଲା। ସେଠାରେ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା। ରିପୋର୍ଟ ପଜିଟିଭ ଆସିବା ପରେ ସେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା। କରୋନା ସମେତ ଅନ୍ୟାନ୍ୟ ରୋଗ ଥିଲାବେଳେ ଚୌଦ୍ୱାର ଜେଲ୍‌ କର୍ତ୍ତୃପକ୍ଷ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେଉନାହାନ୍ତି ବୋଲି ହାଇଦର ଅଭିଯୋଗ କରିଛନ୍ତି। ହାଇଦରଙ୍କ ପକ୍ଷରୁ ଆଇନଜୀବୀ ସତ୍ୟରଞ୍ଜନ ମୁଳିଆ ଏକ ମାମଲା ଦାୟର କରିଛନ୍ତି।

Share