Categories: ଜାତୀୟ

‘ମୁସଲମାନଙ୍କୁ କ୍ଷମା ମାଗନ୍ତୁ ଭାରତ ସରକାର’

ମୁମ୍ବାଇ,୧୪।୬: ମୁମ୍ବାଇ ନିକଟରେ ଥିବା ଠାଣେ ପୋଲିସର ଅଫିସିଆଲ ୱେବ୍‌ସାଇଟ ହ୍ୟାକ୍‌ ହୋଇଛି। ୱେବ୍‌ସାଇଟ ହ୍ୟାକ୍‌ କରିଥିବା ହ୍ୟାକର୍‌ ଭାରତ ସରକାରଙ୍କ ପାଇଁ ଏକ ବାର୍ତ୍ତା ଲେଖିଛି। ଏହି ବାର୍ତ୍ତାରେ ହ୍ୟାକର୍‌ ମୁସଲମାନମାନଙ୍କୁ କ୍ଷମା ମାଗିବାକୁ ଭାରତ ସରକାରଙ୍କୁ କହିଛନ୍ତି। ୱେବ୍‌ସାଇଟ ଖୋଲିବା ମାତ୍ରେ, ଓ୍ବାନ୍‌ ହ୍ୟାଟ ସାଇବର ଟିମ୍‌ ଦ୍ୱାରା ହ୍ୟାକ୍‌ ଶବ୍ଦଗୁଡ଼ିକ ଦୃଶ୍ୟମାନ ହେଉଛି। ହ୍ୟାକ କରିଥିବା ବ୍ୟକ୍ତି ଲେଖିଛନ୍ତି, ଭାରତ ସରକାର, ଆପଣ ବାରମ୍ବାର ଇସଲାମ ଧର୍ମ ପ୍ରସଙ୍ଗରେ ବାଧା ଆଣନ୍ତି, ଆପଣ ସହନଶୀଳତା ଦେଖନ୍ତି ନାହିଁ, ଯଥାଶୀଘ୍ର ବିଶ୍ୱର ମୁସଲମାନମାନଙ୍କୁ କ୍ଷମା ମାଗନ୍ତୁ ନଚେତ୍‌ ଆମେ ଶାନ୍ତ ରହିବୁ ନାହିଁ।
ମନ୍ଦିର-ମସଜିଦ ପ୍ରସଙ୍ଗକୁ ନେଇ ଦେଶରେ କିଛିଦିନ ହେବ ରାଜନୀତି ସରଗରମ ରହିଛି। ପ୍ରଫେଟ୍‌ ମହମ୍ମଦଙ୍କୁ ନେଇ ଭାଜପାରୁ ନିଲମ୍ବିତ ନୂପୁର ଶର୍ମାଙ୍କ ମନ୍ତବ୍ୟ ଦେଶର ଅନେକ ସ୍ଥାନରେ ହିଂସା ସୃଷ୍ଟି କରିଛି। ଦେଶରେ ମୁସଲମାନମାନେ ଅସୁରକ୍ଷିତ ବୋଲି ଏଆଇଏମଆଇଏମ ମୁଖ୍ୟ ଅସଉଦ୍ଦିନ ଓୱାଇସିଙ୍କ ସମେତ ମୁସଲମାନ ସମ୍ପ୍ରଦାୟର ନେତାମାନେ କହିବା ଆରମ୍ଭ କରିଛନ୍ତି।

Share