କିଶୋର ଜେନା
ରାଷ୍ଟ୍ର ଓ ସରକାର ସର୍ବଶକ୍ତିମାନ କି ନୁହେଁ ବଙ୍କେଇ ବୁଲେଇ ସେହି ପ୍ରଶ୍ନ ନୂଆକରି ପୁଣି ଉଠିଛି। ଡିଜିଟାଲ ବ୍ୟକ୍ତିଗତ ସୁରକ୍ଷା ବିଲ୍ର ଯେଉଁ ଖସଡ଼ା କେନ୍ଦ୍ର ସରକାର ଜନସାଧାରଣଙ୍କ ସମ୍ମୁଖକୁ ଆଣିଛନ୍ତି, ତାକୁ କେନ୍ଦ୍ରକରି ପୁଣିଥରେ ନୂଆ ଭାବରେ ରାଷ୍ଟ୍ର ଓ ସରକାରଙ୍କ ସୀମାହୀନ ଅଧିକାରର ପ୍ରଶ୍ନ ବଡ଼ ହୋଇଉଠିଛି। ଫଳରେ ବିଭିନ୍ନ ମହଲରୁ ପ୍ରବଳ ଆପତ୍ତି ଉଠିଛି। କେନ୍ଦ୍ର ସରକାର ୧୮ ନଭେମ୍ବରରେ ‘ଡିଜିଟାଲ ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ବିଲ୍’-୨୦୨୨ର ଖସଡ଼ା ପ୍ରକାଶ କରିଛି। ଖସଡ଼ା ବିଲ୍ ନେଇ ଯାହାର ଯାହା କିଛି ଆପତ୍ତି, ତାହା ଆଗାମୀ ୧୭ ଡିସେମ୍ବର ମଧ୍ୟରେ ଜଣାଇବାକୁ କୁହାଯାଇଛି। କେନ୍ଦ୍ର ଯୋଗାଯୋଗ ଓ ତଥ୍ୟ ପ୍ରଯୁକ୍ତିମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଖସଡ଼ା ବିଲ୍ ପ୍ରକାଶ କରି କହିଛନ୍ତି, ସରକାର ସଂସଦର ଆଗାମୀ ଡିସେମ୍ବର ୭ରୁ ଆରମ୍ଭ ହେଉଥିବା ଶୀତକାଳୀନ ଅଧିବେଶନରେ ବିଲ୍ଟିକୁ ପେସ୍ କରିବାକୁ ଆଗ୍ରହୀ।
ଡିଜିଟାଲ ବ୍ୟକ୍ତିଗତ ସୁରକ୍ଷା ଆଇନର ଖସଡ଼ା ବିଲ୍ ନରେନ୍ଦ୍ର ମୋଦି ସରକାର ପ୍ରଥମେ ୨୦୧୯ରେ ଆଣିଥିଲେ। ସେହି ବିଲ୍ରେ ରାଷ୍ଟ୍ର ଓ ସରକାରଙ୍କ ପ୍ରଶ୍ନହୀନ କ୍ଷମତା ଥିବାରୁ ବିଭିନ୍ନ ମହଲରୁ ସମାଲୋଚନା ହୋଇଥିଲା। ଗଠିତ ହୋଇଥିଲା ଯୁଗ୍ମ ସଂସଦୀୟ କମିଟି। କମିଟିର ବୈଠକରେ ମତଭେଦ ପ୍ରକଟ ହୋଇଥିଲା। ଭାଜପା ସାଂସଦ ପ୍ରେମ ପ୍ରକାଶ ଚୌଧୁରୀଙ୍କ ନେତୃତ୍ୱାଧୀନ କମିଟିର ଶାସକଦଳ ସଦସ୍ୟମାନେ ରାଷ୍ଟ୍ରୀୟ ନିରାପତ୍ତାର ସ୍ବାର୍ଥରେ ଏହି ବିଲ୍ର ପରିସରରୁ କେନ୍ଦ୍ରୀୟ ଗୋଇନ୍ଦା ବାହିନୀ ପରି ବିିଭିନ୍ନ ସଂସ୍ଥାକୁ ବାହାରେ ରଖିବାର ସୁପାରିସ କରିଥିଲେ। ବିରୋଧୀଙ୍କ ପ୍ରବଳ ପ୍ରତିରୋଧ ଯୋଗୁ ସରକାର ୨୦୨୨ ଅଗଷ୍ଟ ୩ରେ ଏହି ବିଲ୍ ପ୍ରତ୍ୟାହାର କରି ନେଇଥିଲେ। କିନ୍ତୁ ତିନି ମାସ ମଧ୍ୟରେ ପୁଣି ନୂତନ ବିଲ୍ର ଯେଉଁ ଖସଡ଼ା ପ୍ରକାଶ କରାଯାଇଛି, ସେଥିରେ ‘ଜାତୀୟ ସ୍ବାର୍ଥ’ରେ କେନ୍ଦ୍ରୀୟ ସଂସ୍ଥାଗୁଡ଼ିକୁ ପୁଣି ଛାଡ଼ ଦିଆଯାଇଛି।
ବିଶେଷଜ୍ଞମାନଙ୍କ ଆଶଙ୍କା, ନୂତନ ଖସଡ଼ା ଚୂଡ଼ାନ୍ତ ହେଲେ ସମ୍ବିଧାନ ସ୍ବୀକୃତ ବ୍ୟକ୍ତିଗତ ଗୋପନୀୟତାର ଅଧିକାର ଉଲ୍ଲଂଘିତ ହେବ, ରାଷ୍ଟ୍ର ବା ସରକାରଙ୍କ ନଜରଦାରି ସୀମାହୀନ ହୋଇପଡ଼ିବ। ବିଶେଷଜ୍ଞମାନେ ମନେ କରନ୍ତି, ଏହି ବିଲ୍ ଯେତେଟା ବ୍ୟକ୍ତିର ଅଧିକାର ରକ୍ଷାରେ ନୁହେଁ, ତାହାଠାରୁ ଅନେକ ବେଶି ଦୃଷ୍ଟି ଦେଇଛି, କିପରି ସରକାର ସବୁ କ୍ଷମତା ଓ ଅଧିକାର କୁକ୍ଷିଗତ କରି ଇଚ୍ଛାନୁଯାୟୀ ଏହାର ପ୍ରୟୋଗ କରିପାରିବ। ଏସିଆ ପାସିଫିକ୍ ପଲିସି କାଉନସିଲର ନମ୍ରତା ମାହେଶ୍ୱରୀଙ୍କ ମତରେ, ପୂର୍ବ ବିଲ୍ର ଆପତ୍ତିକର ବେଶ୍ କିଛି ବିଷୟ ନୂତନ ଖସଡ଼ାରେ ଆହୁରି ଜୋର୍ରେ ରଖାଯାଇଛି। ସରକାରୀ ସଂସ୍ଥାଗୁଡ଼ିକୁ ଛାଡ୍ର ବ୍ୟାପକତା ଓ କ୍ଷମତାର ବ୍ୟାପ୍ତି ମଧ୍ୟ ବଢ଼ିଛି।
ଯେପରି ଖସଡ଼ା ବିଲ୍ରେ ‘ଜନସ୍ବାର୍ଥ’ର ଯେଉଁ ବ୍ୟାଖ୍ୟା ଦିଆହୋଇଛି, ତାହା ମଧ୍ୟରେ ରହିଛି ଦେଶର ସଂହତି ଓ ସାର୍ବଭୌମତ୍ୱ, ଦେଶର ନିରାପତ୍ତା, ବିଦେଶ ସହ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ, ଶାନ୍ତିଶୃଙ୍ଖଳା ରକ୍ଷା, ପ୍ରରୋଚନାମୂଳକ କାର୍ଯ୍ୟକ୍ରମ ଓ ମିଥ୍ୟା ପ୍ରଚାର। ଏସବୁ ସ୍ବାର୍ଥ ରକ୍ଷାରେ (ଏକ କଥାରେ ଜନସ୍ବାର୍ଥ) ଖସଡ଼ା ଆଇନର ବିଧାନ ମାନି ଚଳିବାଠାରୁ ସରକାର ତାଙ୍କର ସଂସ୍ଥାଗୁଡ଼ିକୁ ଛାଡ଼ ଦେବାର ଆବଶ୍ୟକ ବିଜ୍ଞପ୍ତି ଜାରି କରିପାରିବେ। ଏଭଳି କିଛି ବିରୋଧରେ ବିଜ୍ଞପ୍ତି ଜାରି କରିପାରିବେ, ଯାହା ସରକାରଙ୍କ ପାଇଁ ସ୍ପର୍ଶକାତର। ଏହି ସ୍ପର୍ଶକାତରର ସଂଜ୍ଞା କିନ୍ତୁ ଖସଡ଼ା ବିଲ୍ରେ ନାହିଁ। ଏହା ବଦଳରେ କାହିଁକି ବିଜ୍ଞପ୍ତି ଜାରି କରିପାରିବେ, ସେହି ବ୍ୟାଖ୍ୟାରେ ସରକାର କୁହନ୍ତି, ଜାତୀୟ ସ୍ବାର୍ଥ ବେଳେବେଳେ ବ୍ୟକ୍ତି ସ୍ବାର୍ଥଠାରୁ ବେଶି ଗୁରୁତ୍ୱପୂର୍ଣ୍ଣ। ପୁରୁଣା ବିଲ୍ ନେଇ ମିଳିତ ସଂସଦୀୟ କମିଟିର ଆଲୋଚନାରେ ବିରୋଧୀ ସଦସ୍ୟମାନେ କହିଥିଲେ, ନ୍ୟାୟ ଓ ଯୁକ୍ତିଭିିତ୍ତିକ କ୍ଷେତ୍ର ବିଶେଷରେ ସରକାରକୁ ଛାଡ୍ ଦିଆଯାଇପାରେ। ନୂଆ ବିଲ୍ରେ ତାହା ରଖାଯାଇ ନାହିଁ। ସେଠାରେ ସରକାରଙ୍କ ଅଧିକାର ଓ କ୍ଷମତା ଅପରିସୀମ। ଦିଲ୍ଲୀର ”ଥିଙ୍କ୍ ଟ୍ୟାଙ୍କ୍ ଡାଇଲଗ୍“ର କହିଛି, ନୂଆ ବିଲ୍ରେ ମିଳିତ ସଂସଦୀୟ କମିଟିର ସୁପାରିସକୁ ଅଗ୍ରାହ୍ୟ କରାଯାଇଛି। ବ୍ୟକ୍ତି ଅଧିକାର ରକ୍ଷା ପାଇଁ କୌଣସି ରକ୍ଷାକବଚ ରଖାଯାଇ ନାହିଁ। ଡିଜିଟାଲ ଅଧିକାର ଗୋଷ୍ଠୀ ‘ଇଣ୍ଟରନେଟ୍ ଫ୍ରିଡମ୍ ଫାଉଣ୍ଡେଶନ’ର ମତରେ, ସରକାରୀ ସଂସ୍ଥାଗୁଡ଼ିକୁ ଛାଡ୍ର ବିଷୟଗୁଡ଼ିକ ଅସ୍ପଷ୍ଟ ଓ ଦିଗନ୍ତବ୍ୟାପୀ। ଏହାଫଳରେ କେନ୍ଦ୍ର ସରକାରଙ୍କ କ୍ଷମତା ଅନିୟନ୍ତ୍ରିତ ହୋଇପଡ଼ିବ। ସେମାନେ ମନେ କରନ୍ତି, ଆଇନରୁ ସରକାରୀ ସଂସ୍ଥାକୁ ବାଦ୍ ଦିଆଗଲେ, ସରକାରୀ ନଜରଦାରିର ପରିସରରୁ କେହି ବାଦ୍ ପଡ଼ିବେ ନାହିଁ। ଡିଜିଟାଲ ଜଗତରେ ବ୍ୟକ୍ତିର ଯାବତୀୟ ତଥ୍ୟ ନିରାପଦ ରଖିବା ଏହି ବିଲ୍ର ଉଦ୍ଦେଶ୍ୟ। ଏହି ବିଲ୍ ପାରିତ ହେବା ପରେ ଗ୍ରାହକଙ୍କ ପାଖରୁ କମ୍ପାନୀ ଯେଉଁସବୁ ତଥ୍ୟ ପାଇଛି, ତାହା ଗ୍ରାହକର ଅନୁମତି ବିନା ବ୍ୟବହାର କରାଯିବ ନାହିଁ। ତଥ୍ୟର ଅପବ୍ୟବହାର କଲେ ଖସଡ଼ା ବିଲ୍ରେ ଜରିମାନାର ପ୍ରସ୍ତାବ ରଖାଯାଇଛି, ୨୫୦ କୋଟି ଟଙ୍କା। ତଥ୍ୟ ସଂରକ୍ଷଣ ପାଇଁ ଯେଉଁ ସର୍ଭର ବ୍ୟବହାର କରାଯିବ ତାହା ଦେଶର ଅଥବା ବନ୍ଧୁ ଦେଶର ହୋଇପାରେ। ବନ୍ଧୁ ଦେଶର ଏକ ତାଲିକା ସରକାର ପ୍ରସ୍ତୁତ କରିବେ। ଏକ ପୃଥକ୍ ବୋର୍ଡ ଗଠିତ ହେବ। ବ୍ୟକ୍ତିର ବ୍ୟକ୍ତିଗତ ତଥ୍ୟ କିଭଳି ଭାବେ କାର୍ଯ୍ୟରେ ଲଗାଯାଉଛି, ତା’ ଉପରେ ସରକାରଙ୍କ ନିୟନ୍ତ୍ରଣ ରହିବ। ବ୍ୟକ୍ତି ଯଦି କୌଣସି ସେବା ବନ୍ଦ କରିଦିଅନ୍ତି, ତାହାହେଲେ ସମ୍ପୃକ୍ତ ସଂସ୍ଥାକୁ ତାହାର ସବୁ ତଥ୍ୟକୁ ଲିଭାଇଦେବା ପାଇଁ କହିପାରିବେ। ଖସଡ଼ାରେ ଏ କଥା ମଧ୍ୟ କୁହାଯାଇଛି, ଅନାବଶ୍ୟକ ତଥ୍ୟ ଜମାଦେବାରେ ଗ୍ରାହକ ଅସ୍ବୀକାର କଲେ, ତାଙ୍କୁ ସେବାରୁ ବଞ୍ଚତ୍ତ କରାଯିବ ନାହିଁ। ଯଦିଓ ଏ କ୍ଷେତ୍ରରେ ଅନାବଶ୍ୟକ ତଥ୍ୟର ବ୍ୟାଖ୍ୟା ଓ ସଂଜ୍ଞା ନିର୍ଦ୍ଧାରଣ କରାଯାଇ ନାହିଁ।
ଡିଜିଟାଲ ଦୁନିଆରେ ବ୍ୟକ୍ତି ପରିସର ମାରାତ୍ମକ ଭାବେ ସଙ୍କୁଚିତ। ୨୪ ଘଣ୍ଟାରେ କିଏ କ’ଣ କରୁଛି, କୁଆଡ଼େ ଯାଇଛି, କାହା ସହ ଦେଖାକରିଛି, ପ୍ରଯୁକ୍ତିର ଉପାୟରେ ସବୁ କିଛି ସେବା ପ୍ରଦାନକାରୀର ନଖଦର୍ପଣରେ। ନୂତନ ଖସଡ଼ା ବିଲ୍ ପାରିତ ହେଲେ, ସରକାର ବା ସରକାରୀ ସଂସ୍ଥା ସେହିସବୁ ତଥ୍ୟ ଇଚ୍ଛାନୁସାରେ ନିଜ ପାଖରେ ରଖି ପାରିବେ। ଆବଶ୍ୟକମତେ ବ୍ୟବହାର ମଧ୍ୟ କରିପାରିବେ। ୨୦୧୭ ଅଗଷ୍ଟ ୨୪ରେ ଭାରତର ସୁପ୍ରିମକୋର୍ଟର ୯ଜଣିଆ ବିଚାରପତିଙ୍କ ସାମ୍ବିଧାନିକ ଖଣ୍ଡପୀଠର ସର୍ବସମ୍ମତ ରାୟ ଥିଲା, ଗୋପନୀୟତା ପ୍ରତ୍ୟେକ ନାଗରିକର ମୌଳିକ ଅଧିକାର, ଯାହା ସମ୍ବିଧାନ ସ୍ବୀକୃତ। ଡିଜିଟାଲ ତଥ୍ୟ ସୁରକ୍ଷା ଆଇନ କିଭଳି ଅଣାଯିବ, ତାହା ସୁପାରିସ କରିବା ପାଇଁ ନରେନ୍ଦ୍ର ମୋଦି ସରକାର ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ବି.ଏନ. ଶ୍ରୀକୃଷ୍ଣଙ୍କ ନେତୃତ୍ୱରେ ଏକ କମିଟି ଗଠନ କରିଥିଲେ। ସେହି କମିଟି ଏହାର ପ୍ରସ୍ତାବ ସରକାରଙ୍କ ପାଖରେ ଦାଖଲ କରିବା ପରେ ମୋଦି ସରକାର ୨୦୧୯ରେ ଯେଉଁ ଖସଡ଼ା ବିଲ୍ ଆଣିଥିଲେ, ବିଚାରପତି ଶ୍ରୀକୃଷ୍ଣ ଏହା ବିପଜ୍ଜନକ ବୋଲି ମନେ କରିଥିଲେ ଏବଂ ‘ଅରଓୟେଲିଆନ ଷ୍ଟେଟ୍’(ଅରଓୟେରଙ୍କ କଳ୍ପିତ ରାଷ୍ଟ୍ର) ସହ ତୁଳନା କରିଥିଲେ। ନୂଆ ଖସଡ଼ା ବିଲ୍ ସେହି ତୁଳନାମୁକ୍ତ ହୋଇପାରି ନାହିଁ। ଏବେ ଦେଖିବାର କଥା, ସଂସଦର ଶୀତକାଳୀନ ଅଧିବେଶନରେ ସରକାର ଖସଡ଼ା ପ୍ରସ୍ତାବରେ ଆବଶ୍ୟକ ରକ୍ଷାକବଚର ବନ୍ଦୋବସ୍ତ କରୁଛନ୍ତି କି ନାହିଁ!
ମୋ: ୯୪୩୭୩୮୪୮୬୭