Categories: ଜାତୀୟ

ବିବାହ ପାଇଁ ପ୍ରପୋଜ୍‌ କରିବା ପୋକ୍ସୋ ଅନ୍ତର୍ଗତ ଯୌନ ନିର୍ଯାତନା ନୁହେଁ, ହାଇକୋର୍ଟଙ୍କ ରାୟ…

କୋଲକାତା,୨।୧୨: ଜଣେ ନାବାଳିକାଙ୍କ ଓଢ଼ଣୀ ଟାଣିବା, ହାତ ଟାଣିବା ଏବଂ ବିବାହ ପାଇଁ ପ୍ରପୋଜ୍‌ କରିବା ପୋକ୍ସୋ ଆକ୍ଟ ଅନ୍ତର୍ଗତ ଯୌନ ନିର୍ଯାତନା ନୁହେଁ। କୋଲକାତା ହାଇକୋର୍ଟ ଏକ ମାମଲାର ବିଚାର କରି ଏଭଳି ରାୟ ଦେଇଛନ୍ତି। ବିଚାରପତି ବିବେକ ଚୌଧୁରୀଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏଭଳି ଫଇସଲା ଶୁଣାଇଛନ୍ତି।

ଅଭିଯୋଗ ପକ୍ଷଙ୍କ ଅନୁସାରେ ୨୦୧୭ ଅଗଷ୍ଟରେ ପୀଡ଼ିତା ନାବାଳିକା ସ୍କୁଲରୁ ଘରକୁ ଫେରୁଥିବା ସମୟରେ ଅଭିଯୁକ୍ତ ତାଙ୍କ ଓଢ଼ଣୀ ଟାଣିବା, ହାତ ଟାଣିବା ସହିତ ବିବାହ ପାଇଁ ପ୍ରପୋଜ୍‌ କରିଥିଲେ। ତାଙ୍କୁ ବିବାହ ନ କଲେ ଏସିଡ୍‌ ଫିଙ୍ଗିବାକୁ ଅଭିଯୁକ୍ତ ଭୟ ଦେଖାଇଥିବା ଅଭିଯୋଗ କରାଯାଇଥିଲା।

ଟ୍ରାଏଲ୍‌ କୋର୍ଟ ଯୌନ ନିର୍ଯାତନା ଦେବାର ଉଦ୍ଦେଶ୍ୟ ରଖି ଅଭିଯୁକ୍ତ ଏଭଳି କରିଥିବା କହିଥିଲେ। ଟ୍ରାଏଲ୍‌ କୋର୍ଟ ବିଚାରପତି ପୋକ୍ସୋ ଆକ୍ଟର ଧାରା ୮ ଏବଂ ୧୨ ସହିତ ଭାରତୀୟ ଦଣ୍ଡ ସଂହିତାର ଧାରା ୩୫୪, ୩୫୪-ଖ, ୫୦୬ ଏବଂ ୫୦୯ ଅନ୍ତର୍ଗତ ଦୋଷୀ ସାବ୍ୟସ୍ତ କରିଥିଲେ। ଏହା ସହିତ ଅଭିଯୁକ୍ତଙ୍କୁ ଭାରତୀୟ ଦଣ୍ଡ ସଂହିତା ଧାରା ୩୫୪-କ-୧-୨ ଅର୍ନ୍ତଗତ ଯୌନ ନିର୍ଯାତନା ମାମଲାରେ ଦୋଷୀ ବୋଲି ରାୟ ଦେଇଥିଲେ।

ତେବେ ଏହାର ବିଚାର ହାଇକୋର୍ଟ କହିଛନ୍ତି ଯେ, ଓଢ଼ଣୀ ଟାଣିବା, ହାତ ଟାଣିବା ଏବଂ ବିବାହ ପାଇଁ ପ୍ରପୋଜ୍‌ କରିବା ଯୌନ ନିର୍ଯାତନା ନୁହେଁ।

Share