ବିରଞ୍ଚି ହତ୍ୟାକାରୀଙ୍କୁ କୋର୍ଟ ଚାଲାଣ

କେସିଙ୍ଗା,୧୭ା୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅଧିନସ୍ଥ ପରଲସିଙ୍ଗା ପଞ୍ଚାୟତ ନିକଟସ୍ଥ ରଏନ ପଡ଼ାର ବିରଞ୍ଚି ନାଏକ (୩୨)ଙ୍କ ହତ୍ୟାକାରୀ ଜିତୁ ଗୌଡ଼ (୧୯)ଙ୍କ କେସିଙ୍ଗା ପୋଲିସ ଶୁକ୍ରବାର କୋର୍ଟ ଚାଲାଣ କରିଛି। ପରଲସିଙ୍ଗା ଗ୍ରାମ ମହୁଲପଡାର ଜିତୁଙ୍କୁ ତାଙ୍କ ଘରୁ ଗିରଫ କରି କେସିଙ୍ଗା ଥାନାକୁ ନେଇ ତଦନ୍ତ କରିଥିଲେ। ବିରଞ୍ଚିଙ୍କୁ ହତ୍ୟା କରିବା ଜଣାପଡିବା ପରେ ଏସ୍‌ଡିପିଓ ବିନୋଦ ପାଟିଲ, ଆଇଆଇସି ପ୍ରଦ୍ୟୁମ୍ନ ମହାପାତ୍ରଙ୍କ ମିଳିତ ଉଦ୍ୟମରେ ଥାନା ପରିସରରେ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ବିରଞ୍ଚିଙ୍କଠାରୁ ଜିତୁ ସିକ୍ୟୁରିଟି ଚାକିରି କରାଇ ଦେବା ପାଇଁ ଟଙ୍କା ନେଇଥିଲେ। ଗତ ୧୨ତାରିଖରେ ଜିତୁ ବିରଞ୍ଚିଙ୍କୁ ଫୋନ କରି ଡାକିଥିଲେ। ଦୁହିଁଙ୍କ ମଧ୍ୟରେ ବଚସା ହୋଇ ଜିତୁ ଛୁରିରେ ବିରଞ୍ଚିଙ୍କୁ ଆକ୍ରମଣ କରି ହତ୍ୟା କରିଥିଲେ। ମୃତଦେହକୁ ଭମରମାଲ ଛକ ନିକଟକୁ ନେଇ ଫିଙ୍ଗି ଦେଇଥିଲେ। ବିରଞ୍ଚି ଘରୁ ଯିବା ପରେ ବିରଞ୍ଚିଙ୍କ ସ୍ତ୍ରୀ ଫୋନ୍‌ କରିଥିଲେ। ଫୋନ୍‌ ସୁଇଚ୍‌ ଅଫ୍‌ ଥିଲା। ବହୁ ଖୋଜାଖୋଜି ପରେ ଭମରମାଲ ତିନି କୋଣିଆ ଛକ ନିକଟରେ ଗତ ୧୩ ତାରିଖ ରାତିରେ ଜଣେ ଯୁବକଙ୍କ ମୃତଦେହ ପଡ଼ିଥିବାର ଜାଣି ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ମୃତଦେହ ଚିହ୍ନଟ କରି କେସିଙ୍ଗା ଥାନାକୁ ଫୋନ୍‌ କରି ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଥିଲେ। ହତ୍ୟାକାରୀ ଜିତୁ(୧୯)ଙ୍କୁ ଏକ ଖବରଦାତା ସମ୍ମିଳନୀରେ ଏସ୍‌ଡିପିଓ ସୂଚନା ଦେଇ ଶୁକ୍ରବାର କୋର୍ଟ ଚାଲାଣ କରିଥିବାର ଜଣାପଡ଼ିଛି।