ଢେଙ୍କାନାଳ ଅଫିସ, ୭।୧୧: ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ସଦ୍ଭାବନା ଗୃହରେ ଶନିବାର ଅପରାହ୍ନରେ ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। କରୋନା ମହାମାରୀ ସତ୍ତ୍ୱେ ଜନସାଧାରଣଙ୍କ ଜୀବନଜୀବିକାରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ଉଦ୍ୟମ ଜାରି ରଖିଛନ୍ତି। ନୂତନ ନିୟମ ଅନୁଯାୟୀ ଆବେଦନକାରୀ ଭୂମିହୀନଙ୍କୁ ଯଥାଶୀଘ୍ର ଜମିପଟ୍ଟା ଯୋଗାଇ ଦେବା ଲାଗି ପଦକ୍ଷେପ ନେବାକୁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଢେଙ୍କାନାଳ ସହର ଏବଂ ସହର ଉପକଣ୍ଠରେ ଥିବା ସରକାରୀ ଜମିକୁ ଜବରଦଖଲ ମୁକ୍ତ କରି ସୁରକ୍ଷା ଦେବା ଏବଂ ସରକାରଙ୍କ ଅକ୍ତିଆରରେ ରଖିବାକୁ ରାଜସ୍ବ ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଲାଗି ଆଗୁଆ ପ୍ରସ୍ତୁତି ଆବଶ୍ୟକ। ଜିଲାର ସମସ୍ତ ବ୍ଲକରେ ଥିବା ବହୁମୁଖୀ ଆଶ୍ରୟସ୍ଥଳରେ ଆନୁଷଙ୍ଗିକ ବ୍ୟବସ୍ଥା କରିବା, କାର୍ଯ୍ୟାଳୟକୁ ଆସୁଥିବା କର୍ମଚାରୀଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ, ୫-ଟି ବ୍ୟବସ୍ଥାର ସଫଳ ରୂପାୟନ କରିବାକୁ ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି।
ଆଲୋଚନାରେ ଅଂଶଗ୍ରହଣ କରି ଜିଲାପାଳ ସରୋଜ କୁମାର ସେଠୀ କହିଲେ, ଜିଲାର ଭୂମିହୀନଙ୍କୁ ଜମିପଟ୍ଟା ଏବଂ ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯାଉଛି। ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନାର ସଫଳ ରୂପାୟନ ପାଇଁ ଜନସାଧାରଣଙ୍କ ମଧ୍ୟରେ ସଚେତନତା ବୃଦ୍ଧି ନିମନ୍ତେ ଜିଲାସ୍ତରରେ ବହୁବିଧ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ଚଳିତ ଆର୍ଥିକ ବର୍ଷର ଅକ୍ଟୋବର ସୁଦ୍ଧା ଜିଲାର ସମସ୍ତ ତହସିଲ ଅଞ୍ଚଳରେ ଥିବା ଖଣିଖାଦାନରେ ଚଢ଼ାଉ କରାଯାଇ ୨କୋଟି ୪୪ଲକ୍ଷ ୯୯ ହଜାର ୯୨ ଟଙ୍କା ଜରିମାନା ଆଦାୟ କରାଯାଇଥିବା ସମୀକ୍ଷା ବୈଠକରୁ ସୂଚନା ମିଳିଛି। ବୈଠକରେ ଅତିରିକ୍ତ ଜିଲାପାଳ ଶଶାଙ୍କ ଶେଖର ଦାଶ, ଢେଙ୍କାନାଳ ଉପଜିଲାପାଳ ସ୍ନିଗ୍ଧାରାଣୀ ଧଳ, କାମାକ୍ଷାନଗର ଉପଜିଲାପାଳ ଜ୍ୟୋତିଶଙ୍କର ସାହୁ, ହିନ୍ଦୋଳ ଉପଜିଲାପାଳ ଉଦୟ କୁମାର ମହାପାତ୍ର, ସମସ୍ତ ବ୍ଲକର ବିଡିଓ, ତହସିଲଦାର, ଜିଲା କାର୍ଯ୍ୟାଳୟର ଡେପୁଟି କଲେକ୍ଟର, ଆସିଷ୍ଟାଣ୍ଟ କଲେକ୍ଟରଙ୍କ ସମେତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।