ମୁନିଗୁଡ଼ା,୨୭ା୩(ଡି.ଏନ୍.ଏ.)- ରାୟଗଡ଼ା ଜିଲା ମୁନିଗୁଡ଼ା ବନାଞ୍ଚଳ ଓ ବନଖଣ୍ଡ ଅଧୀନ ପାତ୍ରଗୁଡ଼ା ଗାଁ ନିକଟ ସଂରକ୍ଷିତ ଶାଗୁଆନ ଜଙ୍ଗଲରେ ଶନିବାର ନିଆଁ ଲାଗିଯାଇଥିଲା। ସ୍ଥାନୀୟ ଯୁବଗୋଷ୍ଠୀ ଏବଂ ବନ ବିଭାଗର ମିଳିତ ପ୍ରୟାସରେ ବନାଗ୍ନିକୁ ଆୟତ୍ତ କରାଯାଇ ପାରିଛି।
ପାତ୍ରଗୁଡ଼ା ଗାଁ ନିକଟ ସଂରକ୍ଷିତ ଜଙ୍ଗଲରେ ନିଆଁ ଲାଗିଥିବା ସ୍ଥାନୀୟ ସାମାଜିକ କର୍ମୀ କ୍ଷମାସାଗର ଦାସ ପ୍ରଥମେ ଦେଖିଥିଲେ। ତୁରନ୍ତ ଗାଁର ଯୁବକମାନଙ୍କ ସହାୟତାରେ ନିଆଁ ଲିଭାଇବାକୁ ଉଦ୍ୟମ କରିବା ସହ ବନ ବିଭାଗକୁ ଜଣାଇଥିଲେ। ମୁନିଗୁଡ଼ା ବନପାଳ ପ୍ରମୋଦିନୀ ମାଣ୍ଡାଙ୍ଗୀ ସଦଳବଳ ପହଞ୍ଚି ଗ୍ରାମବାସୀଙ୍କ ସହ ମିଶି ନିଆଁ ଲିଭାଇବାରେ ସଫଳ ହୋଇଛନ୍ତି। ଫଳରେ ଜଙ୍ଗଲରେ ଲାଗିଥିବା ଶାଗୁଆନ ଗଛଗୁଡ଼ିକୁ ନିଆଁରୁ ସୁରକ୍ଷିତ ରଖାଯାଇ ପାରିଛି। ଜଙ୍ଗଲ ସୁରକ୍ଷା ଦିଗରେ ସହଯୋଗ କରିଥିବାରୁ ଜିଲା ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଗୌରାଙ୍ଗ ଚରଣ ରାଉତ, ମୁନିଗୁଡ଼ା ବନାଞ୍ଚଳ ଅଧିକାରୀ ପ୍ରସନ୍ନ କୁମାର ମିଶ୍ର ପ୍ରମୁଖ ସାମାଜିକ କର୍ମୀ ଏବଂ ଯୁବଗୋଷ୍ଠୀଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି।