ବନ୍ୟ ଜୀବଜନ୍ତୁ ତଥା ବୃକ୍ଷଲତା ପରିବେଶ ସନ୍ତୁଳନ ରକ୍ଷାକରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାନ୍ତି। ବନ୍ୟଜୀବଙ୍କୁ ମଣିଷ ଅନବରତ ଧ୍ୱଂସ କରିବା ଦ୍ୱାରା ଜଳବାୟୁରେ ପରିବର୍ତ୍ତନ ହେଉଛି। ଏଣୁ ମାନବ ଜୀବନ ସୁରକ୍ଷିତ ରଖିବାକୁ ହେଲେ ଆମକୁ ବନ୍ୟଜନ୍ତୁ ଓ ବୃକ୍ଷଲତା ସୁରକ୍ଷା ଉପରେ ଗୁରୁତ୍ୱ ଦେବାକୁ ହେବ। ବନ୍ୟପ୍ରାଣୀ ବିନା ପୃଥିବୀ ଏକ ଶୁଷ୍କ ଗ୍ରହ ପାଲଟିଯିବ ଯେଉଁଠି ଜୀବନ ସମ୍ଭବ ହୋଇପାରିବ ନାହିଁ। ବନ୍ୟଜୀବନଙ୍କ ସୁରକ୍ଷା କରି ଆମେ ନିଜ ତଥା ପୃଥିବୀର ଅସ୍ତିତ୍ୱକୁ ରକ୍ଷା କରିପାରିବା।
ସଙ୍କଟରେ ଥିବା ଜୀବ ତଥା ଜଙ୍ଗଲର ସୁରକ୍ଷା ପାଇଁ ୩ ମାର୍ଚ୍ଚ ୧୯୭୩ରେ ସିଆଇଟିଇଏସ୍(କନଭେସନ ଅନ୍ ଇଣ୍ଟରନ୍ୟାଶନାଲ ଟ୍ରେଡ୍ ଇନ୍ ଏନ୍ଣ୍ଡେଜର୍ଡ ସ୍ପେସିସ୍)ରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ୨୦୧୩ରେ ଥାଇଲାଣ୍ଡର ବ୍ୟାଙ୍କକରେ ଅନୁଷ୍ଠିତ ସିଆଇଟିଇଏସ୍ର ୧୬ତମ ଅଧିବେଶନରେ ପ୍ରଥମେ ଏହି ଦିବସ ପାଳନ କରାଯିବା ଲାଗି ପ୍ରସ୍ତାବ ଦିଆଯାଇଥିଲା। ଏହାକୁ ବିଚାରକୁ ନେଇ ୨୦ ଡିସେମ୍ବର ୨୦୧୩ରେ ଜାତିସଂଘ ସାଧାରଣ ପରିଷଦର ୬୮ତମ ଅଧିବେଶନରେ ୩ ମାର୍ଚ୍ଚକୁ ବିଶ୍ୱ ବନ୍ୟପ୍ରାଣୀ ଦିବସ ଭାବେ ଘୋଷଣା କରାଯାଇଥିଲା। ୨୦୧୪ରେ ପ୍ରଥମ ଥର ଲାଗି ଏହି ଦିବସ ପାଳନ କରାଯାଇଥିଲା। ତେବେ ସବୁ ବର୍ଷ ଭଳି ମଧ୍ୟ ଚଳିତ ବର୍ଷ ଏହି ଦିବସ ଲାଗି ବାର୍ତ୍ତା ରହିଛି, ‘ଜଙ୍ଗଲ ଓ ଜୀବିକା : ଗ୍ରହ ଓ ଜୀବନର ଅସ୍ତିତ୍ୱ ରକ୍ଷା’। ବିଶ୍ୱର ସନ୍ତୁଳନ ବଜାୟ ରଖିବାରେ ଜଙ୍ଗଲ, ଜଙ୍ଗଲ ପ୍ରାଣୀ, ଇକୋସିଷ୍ଟମର ମୁଖ୍ୟ ଭୂମିକା ରହିଛି। ବିଶ୍ୱରେ ଦାରିଦ୍ର ଦୂରୀକରଣ, ସମ୍ବଳର ନିରନ୍ତର ବ୍ୟବହାର ଭଳି ଜଙ୍ଗଲ ଜୀବନ ସୁରକ୍ଷା ଦିଗରେ କାର୍ଯ୍ୟ କରିବାକୁ ମିଳିତ ଜାତିସଂଘ ପ୍ରତିବଦ୍ଧ।