ଜଗତ୍ସିଂହପୁର ଅଫିସ, ୨୬ା୧୨: ଭାରତରେ ୧୯୮୬ ଡିସେମ୍ବର ୨୪ରେ ଖାଉଟି ସୁରକ୍ଷା ଅଧିନିୟମ ଲାଗୁ ହୋଇଥିଲା। ସେହିଦିନଠାରୁ ଉପଭୋକ୍ତାମାନଙ୍କୁ ତାଙ୍କ ଅଧିକାର ପ୍ରଦାନ କରାଯାଇଥିଲା। ତେଣୁ ନାଗରିକମାନେ ସେମାନଙ୍କ ଅଧିକାରର ସୁରକ୍ଷା ସହ କର୍ତ୍ତବ୍ୟ ପ୍ରତି ଦାୟିତ୍ୱବାନ ହେବା ଆବଶ୍ୟକ। ଜଗତ୍ସିଂହପୁର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ଜାତୀୟ ସୂଚନା ଓ ପ୍ରଯୁକ୍ତି ଭିସି କୋଠରିରେ ୱେବିନାର ମାଧ୍ୟମରେ ଅନୁଷ୍ଠିତ ଜଲାସ୍ତରୀୟ ଖାଇଟି ଅଧିକାର ଦିବସ ପାଳନ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଜିଲାପାଳ ସରୋଜ କୁମାର ମିଶ୍ର ଏହା କହିଛନ୍ତି। ସେ କହିଥିଲେ, ୨୦୧୯ରେ ଏହି ଆଇନରେ ସଂଶୋଧନ ହୋଇଥିଲା। ଦେଶର ଯେ କେହି ଖାଉଟି କ୍ଷତିଗ୍ରସ୍ତ ହୋଇଥିଲେ କ୍ଷତିପୂରଣ ପାଇବାକୁ ନିଜ କର୍ମସ୍ଥଳୀରେ ରହି ଉପଯୁକ୍ତ ଫୋରମରେ ମାମଲା ଦାଏର କରିପାରିବେ। ୧ କୋଟି ଟଙ୍କା ପର୍ଯ୍ୟନ୍ତ କ୍ଷତିପୂରଣ ପାଇବା ପାଇଁ ଜିଲା ଖାଉଟି ବିବାଦ ପ୍ରତିକାର ଆୟୋଗରେ ମାମଲା କରିହେବ। ସେହିପରି ୧୦କୋଟି ଟଙ୍କା ପର୍ଯ୍ୟନ୍ତ ରାଜ୍ୟ ଖାଉଟି ବିବାଦ ପ୍ରତିକାର ଆୟୋଗ ଓ ତା’ଠାରୁ ଅଧିକ ଟଙ୍କାର କ୍ଷତିପୂରଣ ପାଇବା ପାଇଁ ଜାତୀୟ ଖାଉଟି ବିବାଦ ପ୍ରତିକାର ଆୟୋଗରେ ଆବେଦନ କରିବାକୁ ପଡିବ। ଅନ୍ୟପକ୍ଷେ ଇଲେକ୍ଟ୍ରୋନିକ୍ସ ଯନ୍ତ୍ର ମାଧ୍ୟମରେ ହେଉଥିବା ଦେଣ-ନେଣ ମଧ୍ୟ ଏହି ଆଇନ ପରିସରଭୁକ୍ତ ହୋଇଛି। ଆମାଜନ ଓ ଫ୍ଲିପକାର୍ଟ ଭଳି କମ୍ପାନୀକୁ ଆଇନ ପରିସରଭୁକ୍ତ କରାଯାଇଛି। ନୂଆ ବୈଷୟିକ ଜ୍ଞାନ କୌଶଳ ଦେଶରେ ବେପ୍ଳବିକ ପରିବର୍ତ୍ତନ ଆଣିଛି। କୋଭିଡ୍ ପରିସ୍ଥିତିରେ ମଧ୍ୟ ୱେବିନାର ମାଧ୍ୟମରେ ନିଜ ନିଜର ମତ ରଖି ପାରୁଥିବା ଜିଲାପାଳ ମିଶ୍ର କହିଥିଲେ। ଜଗତ୍ସିଂହପୁର ଅତିରିକ୍ତ ଜିଲାପାଳ ତଥା ଜିଲା ଖାଉଟି ସୁରକ୍ଷା ଅଧିକାରୀ ସଚିଦାନନ୍ଦ ସାହୁ କାର୍ଯ୍ୟକ୍ରମରେ ପୌରୋହିତ୍ୟ କରିଥିଲେ। ସେ କହିଥିଲେ, ପ୍ରତ୍ୟେକ ଜଣେ ଜଣେ ଖାଉଟି ତଥା ଉପଭୋକ୍ତା। ଖାଉଟି ସୁରକ୍ଷା ଅଧିନିୟମ ଓ ସୂଚନା ଅଧିକାର ଆଇନ ଦ୍ୱାରା କାର୍ଯ୍ୟଧାରାରେ ସ୍ବଚ୍ଛତା ବୃଦ୍ଧି ପାଉଥିବା କହିଥିଲେ। ଆଇନଜୀବୀ ତଥା ମୁଖ୍ୟବକ୍ତା ରଣଜିତ ମହାନ୍ତି ଖାଉଟି ସୁରକ୍ଷା ଆଇନର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ଜଗତ୍ସିଂହପୁର ବୈଧ ମାପ ଓ ଓଜନ ସହାୟକ ନିୟନ୍ତ୍ରକ ହରିଶଙ୍କର ପଟ୍ଟନାୟକ ଓଜନ ଯନ୍ତ୍ର ଉପରେ ବିଶଦ ବିବରଣୀ ରଖିଥିଲେ। ୱେବିନାରରେ ଜିଲା ପରିଷଦ ସଭ୍ୟାସଭ୍ୟ, ପଞ୍ଚାୟତ ସମିତି ଅଧ୍ୟକ୍ଷାଅଧ୍ୟକ୍ଷ ଓ ଉପଭୋକ୍ତାମାନେ ଯୋଡି ହୋଇ ନିଜର ମତାମତ ରଖିଥିଲେ। ଏହି ଦିବସରେ ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ସହକାରୀ ଯୋଗାଣ ଅଧିକାରୀ ସଲ୍ଲାଉଦ୍ଦିନ ଖାଁ, ପ୍ରଫୁଲ୍ଲ କୁମାର ବେହେରା, ଜିଲା ଉପଭୋକ୍ତା ସୁରକ୍ଷା ପରିଷଦ ସଭ୍ୟ ଗୋବିନ୍ଦ ଓଝା, ନିରଞ୍ଜନ ବାରିକ, ବିଜନ ମହାପାତ୍ର, ଯାମିନୀକାନ୍ତ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।