Categories: ଜାତୀୟ

ଅଗ୍ନିପଥ ଯୋଜନାକୁ ବିରୋଧ କରି ବିହାରରେ ହିଂସା, ବସ୍‌, ଟ୍ରକରେ ଲଗାଇଲେ ନିଆଁ

ପାଟନା,୧୮ ।୬: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଛି । ହେଲେ ବିହାରରେ ଏହା ଉଗ୍ରରୂପ ଧାରଣ କରିଛି । ଲଗାତାର ତୃତୀୟ ଦିନରେ ପ୍ରଦର୍ଶନକାରୀମାନେ ବସ୍ ଓ ଟ୍ରକ୍‌ରେ ନିଆଁ ଲଗାଇ ଦେଇଛନ୍ତି । ଶନିବାର ସକାଳୁ ବିହାର ଜହାନାବାଦରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଏହାସହ ଶନିବାରଠାରୁ ୨ ଦିନ ପାଇଁ ପ୍ର୍ରାୟ ୧୫ ଜିଲାରେ ଇଣ୍ଟରନେଟ ସେବାକୁ ବନ୍ଦ କରି ଦିଆଯାଇଛି । ଏହି ୨ ଦିନ ବିହାର ବନ୍ଦ ଘୋଷଣା କରାଯାଇଥିବା ବେଳେ କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ବିରୋଧ କରି ହେଉଥିବା ପ୍ରଦର୍ଶନକୁ ବାମ ଦଳ ଓ କିଛି ଛାତ୍ର ସଙ୍ଗଠନ ସମର୍ଥନ ଜଣାଇଛନ୍ତି । ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାରେ ସେନାରେ ୪ ବର୍ଷିଆ ନିଯୁକ୍ତି ଯୋଜନାକୁ ବିରୋଧ କରି ଏହି ପ୍ରଦର୍ଶନ କରାଯାଉଛି ।

Share