ଆଶ୍‌ପଣ୍ଡ ଡମ୍ପିଂୟାର୍ଡକୁ ବିରୋଧ

ସମ୍ବଲପୁର,୧୮ା୨(ବ୍ୟୁରୋ): ସମ୍ବଲପୁର ଜିଲା ରେଙ୍ଗାଲି ଶିଳ୍ପାଞ୍ଚଳର କତରବଗା ଲୁଧାପାଲି ଗ୍ରାମ ନିକଟରେ ଏକ ଆସପଣ୍ଡ ଡମ୍ପିଂୟାର୍ଡକୁ ନେଇ ବିବାଦ ଲାଗିରହିଛି। ଶୁକ୍ରବାର ଏହି ବିବାଦ ଉଗ୍ରରୂପ ନେଇଥିଲା। ସ୍ଥାନୀୟ ଜନପ୍ରତିନିଧି ସହ ବିଜେଡି କର୍ମୀ ଓ ଗ୍ରାମବାସୀ ଆସପଣ୍ଡକୁ ବିରୋଧ କରିବାରୁ ପୋଲିସ ସେମାନଙ୍କୁ ଉଠାଇନେଇଥିଲା। ସେମାନଙ୍କୁ ପ୍ରଥମେ ଟାଉନଥାନା ପରେ ଶାସନ ଥାନାରେ ରଖାଯାଇଥିଲା। ଖବର ପାଇ ପୂର୍ବତନ ମନ୍ତ୍ରୀ ତଥା ଭଟ୍‌ଲି ବିଧାୟକ ସୁଶାନ୍ତ ସିଂ ପହଞ୍ଚତ୍ଥିବାବେଳେ ପରେ ଡିଆଇଜି ଅଫିସ ପରିସରରେ ଜିଲାପାଳ ଅନନ୍ୟା ଦାସ, ଉତ୍ତରାଞ୍ଚଳ ପୋଲିସ ଆଇଜି ଡ. ଦିପକ କୁମାର, ଏସ୍‌ପି ବାତୁଲା ଗଙ୍ଗାଧରଙ୍କ ସହ ଆଲୋଚନା କରିଥିଲେ। ହେଲେ ଆଲୋଚନା ପ୍ରସଙ୍ଗରେ କେହି ମୁହଁ ଖୋଲି ନ ଥିଲେ। ବିଧାୟକ ସିଂ କହିଥିଲେ, ଶୀଘ୍ର ମୁଖ୍ୟମନ୍ତ୍ରୀଙ୍କ ବରଗଡ ଜିଲାର ପଦ୍ମପୁର ଗସ୍ତ ରହିଛି। କାମ ଥିବାରୁ ସମ୍ବଲପୁର ଆସିଥିଲି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଏକ ପ୍ରସ୍ତୁତି ବୈଠକ ହୋଇଥିଲା। ପଦ୍ମପୁର ନିର୍ବାଚନମଣ୍ଡଳୀର ୩ ଗୋଟି ବ୍ଲକରେ ସାଧାରଣ ସଭା ହେବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି ବୋଲି କହିଥିଲେ। ଅନ୍ୟପଟେ ଘଟଣାସ୍ଥଳରେ ବିରୋଧ କରୁଥିବା ଜନପ୍ରତିନିଧି ଓ ପୋଲିସ ଭିତରେ ହୋଇଥିବା ଆଲୋଚନାର ଭିଡିଓ ଭାଇରାଲ ହୋଇଛି। ଏଥିରେ ଜନପ୍ରତିନିଧି ଅଭିଯୋଗ କରୁଛନ୍ତି, ଏହି ଆସପଣ୍ଡ ପାଇଁ ପୂର୍ବରୁ ଅଭିଯୋଗ ହୋଇଥିଲା। ଉପଜିଲାପାଳଙ୍କୁ ନେଇ ବୈଠକ ହୋଇଥିଲା। ପ୍ରଦୂଷଣ ବିଭାଗ ତଦନ୍ତ କରି ରିପୋର୍ଟ ଦେବା, କାମ ବନ୍ଦ କରିବା, ଅଞ୍ଚଳବାସୀଙ୍କ ସ୍ବିକୃତି କ୍ରମେ କାମ କରିବାକୁ ତ୍ରିପାକ୍ଷିକ ଆଲୋଚନାରେ ସ୍ଥିର ହୋଇଥିଲା। ହେଲେ ଗୁରୁବାରଠାରୁ ପୁଣି କାମ ଆରମ୍ଭ କରାଯାଇଛି। ସ୍ଥାନୀୟ ଲୋକଙ୍କ କହିବା କଥା, ଏ ବିଷୟରେ ସ୍ଥାନୀୟ ସରପଞ୍ଚ, ପୋଲିସ ପ୍ରଶାସନ କିମ୍ବା ଅଞ୍ଚଳବାସୀ ଅବଗତ ନାହାନ୍ତି। କମ୍ପାନୀର ପେରିଫେରି ଅନୁଦାନରେ ବ୍ୟାପକ ଦୁର୍ନୀତି କରାଯାଉଛି। ରାସ୍ତା ଘାଟ, ପାନୀୟ ଜଳ ଭଳି ମୌଳିକ ସମସ୍ୟାର ସମାଧାନ କରାଯାଉ ନାହିଁ। ପ୍ରଦୂଷଣ ବିଭାଗ ଅଧିକାରୀଙ୍କ ଡକାଯାଇ ସେମାନେ ରିପୋର୍ଟ ଦେବା ପରେ କାମ ଆରମ୍ଭ କରାଯାଉ ବୋଲି ଦାବି କରିଥିଲେ।

Share