ଓଡ଼ିଆ ଅପେରାକୁ ବିରୋଧ

ବେଲପଡା,୨ା୧୧(ମନୋଜ କୁମାର ମିଶ୍ର): ଅଭିନେତା ମନୋଜ ମିଶ୍ରଙ୍କୁ ଓଡ଼ିଶା ପ୍ରଯୋଜକ ସଂଘର ଦୁଇବର୍ଷୀୟ ବାସନ୍ଦକୁ ପଶ୍ଚିମାଞ୍ଚଳର ବିଭିନ୍ନ ଅଞ୍ଚଳରେ ତୀବ୍ର ବିରୋଧ କରାଯାଉଛି। ବଲାଙ୍ଗୀର ଜିଲା ବେଲପଡା ବ୍ଲକ ନୁନହାଡ଼ ଗଜଲକ୍ଷୀ ପୂଜା ଅବସରରେ ଆୟୋଜିତ ଅପେରା କାର୍ଯ୍ୟକ୍ରମରେ ଏହି ଘଟଣାକୁ ନେଇ ବାଦବିବାଦ ସୃଷ୍ଟି ହୋଇଛି। ପୂଜାର ଶେଷରାତିିରେ ରାଜଧାନୀ ନାଟ୍ୟସଂସ୍ଥା ଅପେରା ପ୍ରଦର୍ଶନ କରୁଥିବା ବେଳେ ଜଣେ ଦର୍ଶକ ପ୍ରବଳ ବିରୋଧ କରିଥିଲେ। ଷ୍ଟେଜ୍‌କୁ ଚଢି ଜଣେ ଅଭିନେତାଙ୍କୁ ଜୟ କୋସଲ କହିବାକୁ କହିଥିଲେ। ହେଲେ ଅଭିନେତା ଜଣକ ଜୟ କୋସଲ କ’ଣ ଜାଣିନି, ଜୟ ଜଗନ୍ନାଥ ବୋଲି କହିଥିଲେ। ଏହାପରେ ସ୍ଥାନୀୟ କୋସଲ ପ୍ରେମୀମାନେ ଷ୍ଟେଜ୍‌କୁ ଚଢ଼ି ଜୟ କୋସଲ ନାରା ଦେଇଥିଲେ। ପରେ ଅପେରା ଗେଟ ସମ୍ମୁଖରେ ଲାଗିଥିବା ପୋଷ୍ଟର ଚିରିଥିଲେ।

ଓଡ଼ିଆ ଅପେରା କୋସଲାଞ୍ଚଳରେ ଚଳିିବ ନାହିଁ ବୋଲି ନାରାବାଜି କରିଥିଲେ। ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ଅନୁଭବ ମହାନ୍ତିଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ଶେଷରେ ଗଜଲକ୍ଷୀ ପୂଜା କମିଟି ସଦସ୍ୟ କୋସଲ କମିଟି ସଦସ୍ୟଙ୍କ ସହ ଆଲୋଚନା କରିଥିଲେ। ଅପେରାର ସେହି ଅଭିନେତା ଜଣକ ଷ୍ଟେଜକୁ ଆସି ଜୟ କୋସଲ କହିବା ପରେ ଅପେରା ଯଥାରୀତି ଚାଲିଥିଲା। ଏଥିପୂର୍ବରୁ ବେଲପଡା ବ୍ଲକ ଜଲିଆ ଗ୍ରାମର ମହିଳାମାନେ ଅଭିନେତା ମନୋଜ ମିଶ୍ରଙ୍କ ସପକ୍ଷରେ ସ୍ଲୋଗାନମାନ ଦେବା ସହ ଅନୁଭବଙ୍କ କୁଶପୁତ୍ତଳିିକା ଦାହ କରିଥିଲେ।

Share