ଅପେରା ପ୍ରଦର୍ଶନକୁ ବିରୋଧ

ବରଗଡ଼ ଅଫିସ୍‌,୨୦।୯: ବରଗଡ଼ ଜିଲାରେ ଜିଲା ବାହାର ଅପେରା(ଯାତ୍ରା) ପ୍ରଦର୍ଶନ ଉପରେ ଦୀର୍ଘବର୍ଷ ପୂର୍ବରୁ ପ୍ରଶାସନ କଟକଣା ଜାରି କରିଛି। ଫଳରେ ଜିଲାରେ ଯାତ୍ରା ପ୍ରଦର୍ଶନ ବନ୍ଦ ରହିଥିଲା। ମାତ୍ର ଏବେ ଜିଲାରେ ଏହା ପ୍ରଦର୍ଶନ ପାଇଁ ଅନୁମତି ଦିଆଯିବା ନେଇ ମସୁଧା ଚାଲିଥିବା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ବରଗଡ଼ ଜିଲା ଓକିଲ ସଂଘ ଏହାକୁ ଗୁରୁତ୍ୱର ସହିତ ନେଇଛି। ବରଗଡ଼ରେ ଧନୁଯାତ୍ରା ଭଳି ମହୋତ୍ସବ ହେଉଥିବାରୁ ଏଠାରେ ଜିଲା ବାହାର ଅପେରା ପ୍ରଦର୍ଶନକୁ କୌଣସି ପ୍ରକାରରେ ସୁଯୋଗ ଦିଆଯିବ ନାହିଁ ବୋଲି ଓକିଲ ସଂଘ ନିଷ୍ପତ୍ତି ନେଇଛି। ଜିଲାରେ ଅପେରା ପ୍ରଦର୍ଶନ ପାଇଁ ଅନୁମତି ଦିଆଗଲେ ସଂଘ ତାକୁ ଦୃଢ଼ ବିରୋଧ କରିବ ବୋଲି ଜିଲା ଓକିଲ ସଂଘ ସମ୍ପାଦକ ହରିହର ପ୍ରଧାନ ସୂଚନା ଦେଇଛନ୍ତି। ସେହିପରି ଜିଲାରେ ଅପେରା ପ୍ରଦର୍ଶନ ବିରୋଧରେ ବିଭିନ୍ନ ସଙ୍ଗଠନ ଏକଜୁଟ୍‌ ହେଉଥିବା ସୂଚନା ମିଳିଛି ।

Share