ବରଗଡ଼ ଅଫିସ,୫।୧୦: ରାଜ୍ୟର ବିଦ୍ୟୁତ ବିତରଣ ସଂସ୍ଥାଗୁଡିକୁ ଘରୋଇକରଣ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ଏଭଳି ନିଷ୍ପତ୍ତିକୁ ନେଇ ବିରୋଧ ବଢିବାରେ ଲାଗିଛି। ସୋମବାର ୱେଷ୍ଟର୍ଣ୍ଣ ଓଡ଼ିଶା ବିଦ୍ୟୁତ ଶ୍ରମିକ, କର୍ମଚାରୀ ଏକତା ମଞ୍ଚ, ବରଗଡ଼ ଜିଲାର ସମସ୍ତ କର୍ମକର୍ତ୍ତା, ସଭ୍ୟବୃନ୍ଦ କଳାବ୍ୟାଜ ପରିଧାନ କରି ସରକାରଙ୍କ ସେଭଳି ନିଷ୍ପତ୍ତିର ପ୍ରତିବାଦ କରିଛନ୍ତି। ସରକାର ନିଷ୍ପତ୍ତିରୁ ନ ଓହରିବା ପର୍ଯ୍ୟନ୍ତ ସେମାନେ କଳାବ୍ୟାଜ ପିନ୍ଧିଥିବେ ବୋଲି ମଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଆସନ୍ତା ୭ଦିନ ମଧ୍ୟରେ ସରକାର ସେହି ନିଷ୍ପତ୍ତିକୁ ପ୍ରତ୍ୟାହାର ନ କଲେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ଚେତାବନୀ ଦିଆଯାଇଛି। ମଞ୍ଚର ତମାଳ ମିଶ୍ର, ମାନସ ରାଉତ, ପ୍ରଦୀପ ପ୍ରଧାନ, ନିରଞ୍ଜନ ପାଣିଗ୍ରାହୀ, ଅତିଶ କୁମାର ପଣ୍ଡା ପ୍ରମୁଖ ଏଥିରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।