ବିଦ୍ୟାଳୟ ଉଚ୍ଛେଦ ପ୍ରତିବାଦରେ ଆନ୍ଦୋଳନ: ଗେଟ୍‌ ସମ୍ମୁଖରେ ଅପେକ୍ଷା କରି ବିଫଳ ହେଲ ପ୍ରଧାନଶିକ୍ଷକ

ପୁରୁଷୋତ୍ତମପୁର,୨।୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସି ଅନ୍ତର୍ଗତ ୱାର୍ଡ ନଂ. ୧୨ କପିଳେଶ୍ବରପୁର ଶାସନ ପ୍ରାଥମିକ ବିଦ୍ୟାଳୟକୁ ଶିକ୍ଷା ବିଭାଗ ପକ୍ଷରୁ ଉଚ୍ଛେଦ କରିବାକୁ ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ନିକଟସ୍ଥ ସୀତାରାମପୁର ଆଗ୍ରାହରମ ବିଦ୍ୟାଳୟରେ ପଢ଼ିବା ଲାଗି ନିର୍ଦ୍ଦେଶ ମିଳିଛି। ଏ ନେଇ ଗ୍ରାମବାସୀ ପ୍ରତିବାଦ କରିବା ସହ ଗତ ସେପ୍ଟେମ୍ବରରେ ଜିଲାପାଳ ଓ ଖଲ୍ଲିକୋଟ ବିଧାୟିକାଙ୍କ ନିକଟରେ ଫେରାଦ ହୋଇଥିଲେ। ୧୮୮୫ ମସିହାରେ ଗ୍ରାମବାସୀଙ୍କ ବହୁ ପ୍ରଚେଷ୍ଟାରେ ହୋଇଥିବା ଏହି ବିଦ୍ୟାଳୟ ଉଚ୍ଛେଦ ନ କରିବା ଲାଗି ସେମାନେ ଦାବି କରିଥିଲେ। ହେଲେ ଏଥିପ୍ରତି କେହି ଗୁରୁତ୍ୱ ଦେଇ ନ ଥିବା ଗ୍ରାମବାସୀ କହିଛନ୍ତି।
ତେବେ ଜିଲା ଶିକ୍ଷା ବିଭାଗର ନିର୍ଦ୍ଦେଶ ପ୍ରକାରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ସହକାରୀ ଶିକ୍ଷୟିତ୍ରୀ ପିଲାଙ୍କ ସାର୍ଟିଫିକେଟକୁ ଅନ୍ୟ ସ୍କୁଲକୁ ନେବାପାଇଁ ସୋମବାର ସ୍କୁଲ ଖୋଲିବାକୁ ଚେଷ୍ଟାକରିଥିଲେ। ଏହି ସମୟରେ ଗ୍ରାମବାସୀ ପ୍ରତିବାଦ କରି ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ବିଦ୍ୟାଳୟ ମଧ୍ୟକୁ ଛାଡି ନ ଥିଲେ। ଏହା ସହ ଗେଟ୍‌ରେ ତାଲା ପକାଇ ଆନ୍ଦୋଳନ କରିଥିଲେ। ଫଳରେ ଶିକ୍ଷୟିତ୍ରୀ ଓ ଶିକ୍ଷକ ଦୀର୍ଘ ସମୟ ପର୍ଯ୍ୟନ୍ତ ବାହାରେ ଛିଡା ହୋଇ ଫେରି ଯାଇଥିଲେ। ଏହି ଘଟଣାକୁ ନେଇ ପ୍ରଧାନଶିକ୍ଷକ ସନ୍ତୋଷ କୁମାର ମିଶ୍ର ବ୍ଲକ ଶିକ୍ଷା ଅଧିକାରୀ ଓ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଜଣାଇଥିବା କହିଛନ୍ତି।

Share