ଡିଏମ୍‌ଏଫ୍‌ ଗ୍ରାମ ଉଦ୍ୟାନ ପାର୍କ ସ୍ଥାନ ପରିବର୍ତ୍ତନକୁ ବିରୋଧ

କେନ୍ଦୁଝର,୧୦ା୫(ସ୍ବ.ପ୍ର.): ଡିଏମ୍‌ଏଫ୍‌ ଅନୁଦାନରେ ବାଂଶପାଳ ବ୍ଲକର ୧୬ଟି ପଞ୍ଚାୟତରେ ଗ୍ରାମ ଉଦ୍ୟାନ ପାର୍କ ନିର୍ମାଣ ପାଇଁ ଟେଣ୍ଡର ଆହ୍ବାନ କରାଯାଇଛି। ତେବେ ପଞ୍ଚାୟତ ସମିତି ଅଫିସ,ବାଂଶପାଳ ପକ୍ଷରୁ ଟେଣ୍ଡର ଆହ୍ବାନ ପରେ ଏହାକୁ ନେଇ ବିବାଦ ମୁଣ୍ଡ ଟେକିଛି। ଏହି ପାର୍କ ପାଇଁ ଆବଶ୍ୟକ ୨ ଏକର ସ୍ଥାନ ଆବଶ୍ୟକ। ବ୍ଲକ ପକ୍ଷରୁ ପାର୍କ ନିର୍ମାଣ ପାଇଁ ତଳ ଚମ୍ପେଇ ପଞ୍ଚାୟତର ଉପର ସୁମଠ ଗ୍ରାମରେ ଜମି ଚିହ୍ନଟ କରିଥିଲେ। ଏହି ପାର୍କ ନିର୍ମାଣ ପାଇଁ ୨୧ ଲକ୍ଷ ୬୮ ହଜାର ୪୦୫ ଟଙ୍କା ବ୍ୟୟରେ ନିର୍ମାଣ ହେବ ବୋଲି ଜଣାପଡିଛି। ତେବେ ସେଠାରେ କୌଣସି କାରଣ ନ ଥାଇ ହଠାତ୍‌ ନିଷ୍ପତ୍ତି ପରିବର୍ତ୍ତନ କରି ରୁଗୁଡ଼ିଠାରେ ଜମି ଚିହ୍ନଟ କରାଯାଉଛି। ଫଳରେ ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଗ୍ରାମବାସୀ ପୂର୍ବସ୍ଥାନ ଉପର ସୁମଠ ଗ୍ରାମରେ ପାର୍କ ନିର୍ମାଣ ପାଇଁ ଅଡ଼ି ବସିବାରୁ ବିବାଦ ଦେଖାଦେଇଛି। ଏ ନେଇ ବ୍ଲକ ଅଧ୍ୟକ୍ଷ ମାନସ ଦେହୁରୀଙ୍କ ସହ ଯୋଗାଯୋଗ କରିବାରୁ ପ୍ରଶାସନର ନିଷ୍ପତ୍ତିରେ ସ୍ଥାନ ପରିବର୍ତ୍ତନ କରାଯାଇଛି। ଅନ୍ୟପକ୍ଷରେ ପୂର୍ବସ୍ଥାନରେ ପାର୍କ ନିର୍ମାଣ ନ ହେଲେ ଗ୍ରାମବାସୀ ବିରୋଧ କରିବେ ବୋଲି କହିଛନ୍ତି।

Share