Categories: ଜାତୀୟ

ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ହିଂସା ପ୍ରତିବାଦରେ ବିକ୍ଷୋଭ

କୋଲକାତା, ୧୦ା୭ : ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ବେଳେ ଶନିବାର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟି ୧୫ ଜଣଙ୍କ ମୃତ୍ୟୁ ଘଟଣାର ପ୍ରତିବାଦରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଭାଜପା ସମର୍ଥକମାନେ ରବିବାର ରାଜ୍ୟ ନିର୍ବାଚନ କମିଶନ (ଏସ୍‌ଇସି)ଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ନିର୍ବାଚନ କର୍ତ୍ତୃପକ୍ଷ ଭୋଟ ପରିଚାଳନାରେ ବିଫଳ ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି। ନିର୍ବାଚନ ବେଳେ କେନ୍ଦ୍ରୀୟ ବଳକୁ ଜାଣିଶୁଣି ମୁତୟନ କରା ନ ଯିବାରୁ ହିଂସାକାଣ୍ଡ ଘଟିଲା। ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ କେନ୍ଦ୍ରୀୟ ବଳ ନିୟୋଜିତ ହୋଇଥିଲେ ଏତେ ପରିମାଣରେ ହିଂସା ଘଟି ନ ଥାନ୍ତା ବୋଲି ଭାଜପା ଉପାଧ୍ୟକ୍ଷ ଦିଲୀପ ଘୋଷ କହିଛନ୍ତି। କେନ୍ଦ୍ରୀୟ ବଳକୁ ସମ୍ବେଦନଶୀଳ ଅଞ୍ଚଳ ଓ ପୋଲିଂ ବୁଥ୍‌ରେ ନିୟୋଜିତ କରା ନ ଯାଇ ସେମାନଙ୍କୁ ଜାତୀୟ ରାଜପଥ ପାଟ୍ରୋଲିଂରେ କିମ୍ବା ଥାନାରେ ରଖାଗଲା ବୋଲି ଘୋଷ ଅଭିଯୋଗ କରିଛନ୍ତି। ଅନ୍ୟ ପକ୍ଷରେ କେନ୍ଦ୍ରୀୟ ବଳକୁ ମୁତୟନ କରାଯାଇଥିଲେ ହିଂସା ହୋଇ ନ ଥାନ୍ତା, ଏହାର କୌଣସି ଗ୍ୟାରେଣ୍ଟି ନାହିଁ ବୋଲି ଶାସକ ଟିଏମ୍‌ସି କହିଛି। ରାଜ୍ୟରେ ୬୧ ହଜାର ପୋଲିଂ ବୁଥ୍‌ରୁ ମାତ୍ର ୬୦ଟିରେ ହିଂସାକାଣ୍ଡ ଘଟିଥିବା ଟିଏମ୍‌ସି ମୁଖପାତ୍ର କୁନାଲ ଘୋଷ କହିଛନ୍ତି।
ପୂର୍ବ ମେଦିନିପୁର ଜିଲାର ହଳଦିଆ-ମେଚେଡ଼ା ରାଜ୍ୟ ରାଜପଥକୁ ଭାଜପା କର୍ମୀମାନେ ନନ୍ଦକୁମାରଠାରେ ଅବରୋଧ କରି ବାଲଟ ବାକ୍ସ ଟ୍ୟାମ୍ପରିଂ କରାଯାଇଥିବା ଅଭିଯୋଗ କରିଥିଲେ। କେନ୍ଦ୍ରୀୟ ବଳ ସୁରକ୍ଷା ମଧ୍ୟରେ ପୁନଃ ମତଦାନ ଲାଗି ସେମାନେ ଦାବି କରିଛନ୍ତି। ସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରୁ ପୋଲିସକୁ ଲାଠିଚାଳନା କରିବାକୁ ପଡ଼ିଥିଲା। ସେହିପରି ନିର୍ବାଚନୀ ହିଂସା ପ୍ରତିବାଦରେ କଂଗ୍ରେସ କର୍ମୀମାନେ ମାଲ୍‌ଦାର ରଥବାରିଠାରେ ଜାତୀୟ ରାଜପଥ ଅବରୋଧ କରିଥିଲେ।

Share