ବାଂଲାଦେଶୀ ହିନ୍ଦୁଙ୍କ ବିକ୍ଷୋଭ

ଢାକା,୧୨ା୮: ବାଂଲାଦେଶରେ ଶେଖ୍‌ ହାସିନା ସରକାରର ପତନ ପରେ ଗତ ୫ ତାରିଖରୁ ଦେଶରେ ସଂଖ୍ୟାଲଘୁ ବିରୋଧୀ ହିଂସା ଲାଗିରହିଛି। ଏହାକୁ ବିରୋଧ କରି ଲକ୍ଷ ଲକ୍ଷ ହିନ୍ଦୁ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଶନିବାର ରାଜଧାନୀ ଢାକା, ଦ୍ୱିତୀୟ ବୃହତ୍‌ ସହର ଚିଟ୍ଟାଗଙ୍ଗ ସମେତ ବିଭିନ୍ନ ସ୍ଥାନରେ ଲକ୍ଷାଧିକ ହିନ୍ଦୁ ବିକ୍ଷୋଭରେ ସାମିଲ ହୋଇଥିଲେ। ସେମାନେ ଢାକାର ଶାହବାଗ୍‌ ଛକକୁ ଦୀର୍ଘସମୟ ଅବରୋଧ କରିଥିଲେ। ଇତିମଧ୍ୟରେ ବାଂଲାଦେଶରେ ସଂଖ୍ୟାଲଘୁଙ୍କ ଉପରେ ୨୦୫ରୁ ଅଧିକ ଥର ଆକ୍ରମଣ ହେଲାଣି, ଯେଉଁଥିରେ ବହୁ ହିନ୍ଦୁ ମୃତାହତ ହେବା ସହ ସେମାନଙ୍କ ଘର ଓ ଦୋକାନ ଜାଳି ଦିଆଯାଇଛି। ଅନେକ ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜା କରାଯାଇଛି। ହାସିନାଙ୍କ ଆଓ୍ବାମୀ ଲିଗ୍‌ ପାର୍ଟି ସହ ସମ୍ପୃକ୍ତ ୨ ହିନ୍ଦୁ ନେତାଙ୍କୁ ହତ୍ୟା କରାଯାଇଛି। ହିଂସାରୁ ବର୍ତ୍ତିବା ପାଇଁ ବହୁ ହିନ୍ଦୁ ପଡୋଶୀ ଦେଶକୁ ପଳାଇବାକୁ ଉଦ୍ୟମ ଚଳାଇଛନ୍ତି। ଶନିବାର ଢାକାରେ ଥିବା ଲୋକପ୍ରିୟ ଭାରତୀୟ ରେଷ୍ଟୁରାଣ୍ଟ ସନ୍ତୁରରେ ଭଙ୍ଗାରୁଜା ସହ ନିଆଁ ଲଗାଇ ଦିଆଯାଇଥିଲା।
ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ହିଂସା ଘଟଣାର ତଦନ୍ତ ପାଇଁ ସ୍ବତନ୍ତ୍ର ଟ୍ରିବ୍ୟୁନାଲ ଗଠନ, ପାର୍ଲାମେଣ୍ଟରେ ସେମାନଙ୍କ ପାଇଁ ୧୦ ପ୍ରତିଶତ ଆସନ ସଂରକ୍ଷିତ ରଖିବା ଏବଂ ସଂଖ୍ୟାଲଘୁ ସୁରକ୍ଷା ଆଇନ କାର୍ଯ୍ୟକାରୀ କରାଇବା ଆଦି ବିଭିନ୍ନ ଦାବିରେ ହିନ୍ଦୁମାନେ ବିକ୍ଷୋଭ ଜାରି ରଖିଛନ୍ତି। ବାଂଲାଦେଶ ଅନ୍ତରୀଣ ସରକାରର ନେତୃତ୍ୱ ନେଉଥିବା ମହମ୍ମଦ ୟୁନୁସ୍‌ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣକୁ ନିନ୍ଦା କରିବା ସହ ସମସ୍ତ ହିନ୍ଦୁ, ଖ୍ରୀଷ୍ଟିଆନ, ବୌଦ୍ଧ ଧର୍ମାବଲମ୍ବୀଙ୍କ ପରିବାରକୁ ସୁରକ୍ଷା ଦେବା ପାଇଁ ଛାତ୍ର ସଂଗଠନଗୁଡ଼ିକୁ ଆହ୍ବାନ ଦେଇଛନ୍ତି।

Share