ଶୁଳିଆପଦା ବ୍ଲକରେ ମହାଦୁର୍ନୀତି ପ୍ରସଙ୍ଗ: କଂଗ୍ରେସ ପକ୍ଷରୁ ବିକ୍ଷୋଭ

ମୋରଡ଼ା,୧୩ା୭(ସ୍ମାରକ ମାଜୀ): ଗୁରୁବାର ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବ୍ଲକ କଂଗ୍ରେସ ପକ୍ଷରୁ ଧାରଣା ଦେବା ସହିତ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ମୋରଡ଼ା ନିର୍ବାଚନମଣ୍ଡଳୀର ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ପ୍ରଭାସକର ମହାପାତ୍ରଙ୍କ ନେତୃତ୍ୱରେ ହଜାର ହଜାର କଂଗ୍ରେସ କର୍ମୀ ବ୍ଲକ କାର୍ଯ୍ୟାଳୟ ଆଗରେ ଶୁଳିଆପଦା ବ୍ଲକ ପ୍ରଶାସନର ମନମୁଖୀ କାର୍ଯ୍ୟକଳାପକୁ ନିନ୍ଦା କରିଛନ୍ତି। ବ୍ଲକରେ ମୃତ ହିତାଧିକାରୀଙ୍କ ନାମରେ ଉଠାଣ ହୋଇଥିବା ଭତ୍ତା ଟଙ୍କା, ଉନ୍ନୟନମୂଳକ କାର୍ଯ୍ୟରେ ଅନୁମୋଦିତ ବ୍ୟୟ ଅଟକଳ ମୂଲ୍ୟଠାରୁ ଅଧିକ କାର୍ଯ୍ୟ କରିଥିବା ଦର୍ଶାଇ ଟଙ୍କା ଉଠାଣ ହେବା, କାର୍ଯ୍ୟ ନ କରି ଜବ୍‌କାର୍ଡ ମାଧ୍ୟମରେ ଲୁଟ୍‌ ହୋଇଥିବା ଟଙ୍କା, ନିମ୍ନମାନର କାର୍ଯ୍ୟ ହୋଇଥିବା, କାର୍ଯ୍ୟ ଆଦୌ ନ କରି ବିଲ୍‌ ପୈଠ ହୋଇଥିବା ଇତ୍ୟାଦି ବାବଦରେ ତଦନ୍ତ ପାଇଁ ଗତ ମେ’ ୩୦ ତାରିଖରେ ବ୍ଲକ କଂଗ୍ରେସ ପକ୍ଷରୁ ଏକ ଦାବିପତ୍ର ଦିଆଯାଇଥିଲା l କିନ୍ତୁ ଦୁଇ ମାସ ବିତି ଯାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ତଦନ୍ତ କରାଯାଇନାହିଁ କି ତଦନ୍ତ ରିପୋର୍ଟ ସାର୍ବଜନୀନ ହୋଇନାହିଁ l
ତେଣୁ ଆଜି ୧୦ଟାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ଶୁଳିଆପଦା ବ୍ଲକ ସମ୍ମୁଖରେ ଗର୍ଜନ କରିଥିଲା ବ୍ଲକ କଂଗ୍ରେସ l ସେହିପରି ବ୍ଲକର ପୂର୍ବତନ ବିଡିଓ ପରୀକ୍ଷିତ ଜେନା ସରକାରୀ ଟଙ୍କାଙ୍କୁ ନିଜ ଆକାଉଣ୍ଟରେ ୧ କୋଟି ୩୦ ଲକ୍ଷ ଟଙ୍କା ଟ୍ରାନ୍ସଫର କରି ନେଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ ବୋଲି କହିଛନ୍ତି ଶ୍ରୀ ମହାପାତ୍ର।

ଉକ୍ତ ବିକ୍ଷୋଭ ପ୍ରଦର୍ଶନରେ ପୂର୍ବତନ ବ୍ଲକ କଂଗ୍ରେସ ସଭାପତି ହରିହର ଧଳ, ବ୍ଲକର ବରିଷ୍ଠ କଂଗ୍ରେସ କର୍ମୀ କୃଷ୍ଣ ମାର୍ଣ୍ଡି, ଧ୍ରୁବେନ୍ଦ୍ରନାଥ ସି,ଶୋଭାକର ମୁଖୀ,ବିଦ୍ୟାଧର ଦେଓ, ଶକ୍ତି ଦେ, ସୁଶାନ୍ତ ପାତ୍ର, ପଙ୍କଜିନି ଧଳ, ଲକ୍ଷ୍ମୀ ସି ଏବଂ ଶତାଧିକ କର୍ମୀ ଉପସ୍ଥିତ ଥିଲେ। ତେବେ ଆଗାମୀ ଦିନରେ ଯଦି ଉକ୍ତ ଦୁର୍ନୀତି ବିରୋଧରେ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ ନ କରେ ତେବେ ଜିଲାପାଳଙ୍କ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ ସହିତ ଘେରାଉ କରାଯିବ ବୋଲି ଚେତାବନୀ ଦିଆଯାଇଛି।