Categories: ଜାତୀୟ

ନିଷ୍ପତ୍ତି ପ୍ରତ୍ୟାହାର ପାଇଁ ପିଡିପି, କଂଗ୍ରେସର ବିକ୍ଷୋଭ

ଶ୍ରୀନଗର/ନୂଆଦିଲ୍ଲୀ,୬।୮: ଜମ୍ମୁ-କଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ଏବଂ ୩୫ଏ ଉଚ୍ଛେଦକୁ ଶୁକ୍ରବାର ୩ ବର୍ଷ ପୂରିଛି। ଏହି ଧାରାରେ ଜମ୍ମୁ-କଶ୍ମୀର ଜନସାଧାରଣଙ୍କୁ ମିଳୁଥିବା ସ୍ବତନ୍ତ୍ର ସୁବିଧା ସୁଯୋଗକୁ କେନ୍ଦ୍ର ସରକାର ୨୦୧୯ ଅଗଷ୍ଟ ୫ରେ ହଟାଇଦେଇଥିଲେ। ଶୁକ୍ରବାର ପିପୁଲ୍ସ ଡେମୋକ୍ରାଟିକ୍‌ ପାର୍ଟି(ପିଡିପି) ଏବଂ କଂଗ୍ରେସ ପକ୍ଷରୁ ବିକ୍ଷୋଭ କରାଯାଇ ପୁଣି ଥରେ ଅନୁଚ୍ଛେଦ ୩୭୦ ଲାଗୁ କରିବା ପାଇଁ ଦାବି ହୋଇଛି। ସେହିପରି ନ୍ୟାଶନାଲ କନ୍‌ଫରେନ୍ସ ପକ୍ଷରୁ ଏହି ଅବସରରେ ଏକ ସଭା କରାଯାଇଥିଲା। ୩ ବର୍ଷ ପୂର୍ବେ କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତକୁ ସୁପ୍ରିମକୋର୍ଟ ବଦଳାଇଦେବେ ବୋଲି ଏହି ଦଳ ପକ୍ଷରୁ ଆଶାବ୍ୟକ୍ତ କରାଯାଇଛି। ବନ୍ଦ ଡାକରା ସତ୍ତ୍ୱେ ଶ୍ରୀନଗର ଜିଲାରେ ଜୀବନଯାତ୍ରା ସମ୍ପୂର୍ଣ୍ଣ ସ୍ବାଭାବିକ ଥିଲା। ଦୋକାନ ବଜାର, ସ୍କୁଲ ଓ ଅନ୍ୟାନ୍ୟ ପ୍ରତିଷ୍ଠାନ ଖୋଲା ରହିଥିଲା। ପିଡିପି ନେତ୍ରୀ ମେହବୁବା ମୁଫ୍‌ତି ଓ ଦଳୀୟ କର୍ମୀମାନେ ଶେର୍‌-ଇ-କଶ୍ମୀର ମ୍ୟୁନିସିପାଲ ପାର୍କଠାରେ ଏକାଠି ହୋଇ ଜମ୍ମୁ-କଶ୍ମୀର ବିଭାଜନ ଓ ଅନୁଚ୍ଛେଦ ୩୭୦ ଉଚ୍ଛେଦର ପ୍ରତିବାଦ କରିଥିଲେ। ସେମାନେ ଲାଲ୍‌ ଚୌକ ଅଭିମୁଖେ ଶୋଭାଯାତ୍ରାରେ ଯିବା ଲାଗି ଉଦ୍ୟମ କରୁଥିବାବେଳେ ପୋଲିସ ଅଟକାଇଥିଲା। ଜମ୍ମୁ-କଶ୍ମୀରର ସ୍ବତନ୍ତ୍ର ମାନ୍ୟତା ଫେରାଇ ଆଣିବା ଲାଗି ପିଡିପି ଲଢ଼େଇ ଜାରି ରଖିବ ବୋଲି ମେହବୁବା କହିଛନ୍ତି।
ଅନ୍ୟପକ୍ଷରେ ଅନୁଚ୍ଛେଦ ୩୭୦ ଏବଂ ୩୫ଏ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳରେ ଆଇନଶୃଙ୍ଖଳା ଏବଂ ସୁରକ୍ଷା ସ୍ଥିତିରେ ଉନ୍ନତି ଘଟିଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି। ଉପତ୍ୟକାର ବିଚ୍ଛିନ୍ନତାବାଦୀ ଓ ଧର୍ମୀୟ ମୌଳବାଦୀଙ୍କ ଉପରେ କ୍ରମାଗତ ଚାପ ଫଳରେ ବିଶୃଙ୍ଖଳା ଓ ଉତ୍ତେଜନା ୬୦୦ ପ୍ରତିଶତ ହ୍ରାସ ପାଇଛି। ଶୁକ୍ରବାର ପାକିସ୍ତାନରେ କଳାଦିବସ ଏବଂ ବିଚ୍ଛିନ୍ନତାବାଦୀଙ୍କୁ ବନ୍ଦ ଡାକରା ସତ୍ତ୍ୱେ ଉପତ୍ୟକା ସ୍ଥିତି ସ୍ବାଭାବିକ ରହିଛି।

Share