ଆର୍‌ବିଆଇ ଆଗରେ ନୋଟ୍‌ ଫିଙ୍ଗି ପ୍ରତିବାଦ

ଭୁବନେଶ୍ୱର,୧୨।୧୦(ସତ୍ୟଜିତ୍‌ ରାଉତ)ଚିରାଫଟା ନୋଟ୍‌ ବଦଳାଇବାକୁ ଲୋକେ ନାନା ହଟହଟାର ସମ୍ମୁଖୀନ ହେଉଛନ୍ତି। ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆ)ର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟରେ ଥିବା କାଉଣ୍ଟର ବନ୍ଦ ହୋଇଯାଇଥିବାବେଳେ ବିଭିନ୍ନ ବ୍ୟାଙ୍କ୍‌ ମନା କରୁଛି। ଫଳରେ ଟଙ୍କା ବଦଳାଇବାକୁ ଆସିଥିବା କେତେଜଣ ଲୋକ ଆର୍‌ବିଆଇ ସମ୍ମୁଖରେ ଚିରାଫଟା ନୋଟ୍‌କୁ ଫିଙ୍ଗି ଅଭିନବ ପ୍ରତିବାଦ କରିଛନ୍ତି। ଏସବୁ ନୋଟ୍‌କୁ ବ୍ୟାଙ୍କ୍‌ରେ ବଦଳାଇବାକୁ କହି ଆର୍‌ବିଆଇ କର୍ମଚାରୀମାନେ ସେମାନଙ୍କୁ ଫେରାଇ ଦେବାପରେ ଲୋକେ ଅସନ୍ତୋଷ ପ୍ରକାଶ କରି ଏଭଳି କରିଥିବା ଜଣାପଡିଛି। ମଧ୍ୟାାହ୍ନ ପ୍ରାୟ ୧୨ଟା ବେଳେ ୧୫ରୁ ଊର୍ଦ୍ଧ୍ୱ ଗ୍ରାହକ ୨୦, ୫୦, ୧୦୦ ଟଙ୍କିଆ ଆଦି ଚିରା ଫଟା ଓ ନଷ୍ଟ ନୋଟ୍‌କୁ ଫିଙ୍ଗି ଆର୍‌ବିଆଇ ଆଗରେ ପ୍ରତିବାଦ କରୁଥିଲେ। ଖବର ପାଇ ଖାରବେଳନଗର ଥାନା ପୋଲିସ ସେଠାରେ ପହଞ୍ଚତ୍ ଥିଲା। ଆର୍‌ବିଆଇ ଅଧିକାରୀ ଓ ପୋଲିସ ଗ୍ରାହକମାନଙ୍କୁ ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ସୂଚନାଯୋଗ୍ୟ, ଅକ୍ଟୋବର ୩ରୁ ଆର୍‌ବିଆଇ ଚିରାଫଟା ନୋଟ୍‌କୁ ଗ୍ରହଣ କରିବନି ବୋଲି ଗାଇଡ୍‌ଲାଇନ୍‌ ଜାରି କରିଛି। ଏସବୁ ନୋଟ୍‌କୁ ସ୍ଥାନୀୟ ବ୍ୟାଙ୍କ୍‌ରେ ବଦଳାଇ ହେବ ବୋଲି ନିର୍ଦ୍ଦେଶ ଦିଆଯାଇଛି। ହେଲେ ବ୍ୟାଙ୍କଗୁଡ଼ିକ ଏହି ଚିରାଫଟା ନୋଟ୍‌କୁ ଗ୍ରହଣ କରୁ ନ ଥିବା ସମ୍ପୃକ୍ତ ଲୋକେ ଅଭିଯୋଗ କରିଛନ୍ତି।

Share