ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ବଲାଙ୍ଗୀର ଅଫିସ,୨।୮: ବଲାଙ୍ଗୀର ବିଦ୍ୟାଳୟ ସୁରକ୍ଷା କମିଟି ପକ୍ଷରୁ ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସ୍କୁଲ ମିଶ୍ରଣ ନୀତି ସମ୍ପୂର୍ଣ୍ଣ ପ୍ରତ୍ୟାହାର ସହ ସରକାରୀ ପ୍ରାଥମିକ ସ୍କୁଲମାନଙ୍କରେ ନାମଲେଖା ଆରମ୍ଭ କରିବା ଦାବି ନେଇ ଏହି ବିକ୍ଷୋଭ ହୋଇଥିଲା। ୨୦୧୮ ମସିହାରେ ରାଜ୍ୟ ସରକାର ୧୪୩୭୯ଟି ବିଦ୍ୟାଳୟ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଏହି ନିଷ୍ପତ୍ତିକୁ ୨୦୨୦-୨୧ ଶିକ୍ଷା ବର୍ଷରେ କାର୍ଯ୍ୟକାରୀ କରିବା ଆରମ୍ଭ କରିଥିଲେ। ଫଳରେ ଓଡ଼ିଶାର ପଛୁଆ ଆଦିବାସୀ ମଧ୍ୟସ୍ଥିତ ଏବଂ ଦାଦନ ପ୍ରବଣ ବଲାଙ୍ଗୀର ଜିଲାର ୩୭୫ଟି ସ୍କୁଲ ବନ୍ଦ ହେବାର ନିଷ୍ପତ୍ତି ହୋଇଥିଲା। ଏହା ଦ୍ୱାରା ଛାତ୍ରୀଛାତ୍ରମାନଙ୍କ ଶିକ୍ଷା ପ୍ରଭାବିତ ହେବ। ତେଣୁୁ ତୁରନ୍ତ ସ୍କୁଲ ମିଶ୍ରଣ ନୀତିକୁ ପ୍ରତ୍ୟାହାର କରିବା ପାଇଁ କମିଟି ଦାବି କରିଛି। ରାଜେନ୍ଦ୍ର ରଣାଙ୍କ ନେତୃତ୍ୱରେ ସ୍କୁଲ ସୁରକ୍ଷା କମିଟିର ଅନନ୍ୟା ଦାନୀ, ବିକାଶ ଜେନା, ରଞ୍ଜିତ ମାଝି, ମିଥୁନ ମାଝି, ତୁମୁଶ ବେହେରା, ଗୌରୀ ରାଉତ, ଜୋସେପ ବାଗ ପ୍ରମୁଖ ଉପସ୍ଥିତ ଥିଲେ।

Share