ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ବାରିପଦା ଅଫିସ,୨୮।୧୨: ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲାରେ ହୋ, ମୁଣ୍ଡା ଏବଂ ଭୂମିଜ ସମ୍ପ୍ରଦାୟର ଭାଷାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସାମିଲ ଦାବିରେ ଜିଲା ବିଜୁ ଜନତା ଦଳ ପକ୍ଷରୁ ବୁଧବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ସହ ବିକ୍ଷୋଭ ପ୍ରଦର୍ଶନ ହୋଇଛି। ମୁଣ୍ଡାରୀ ଭାଷା କ୍ରିୟାନୁଷ୍ଠାନ କମିଟି ଓ ମୁଣ୍ଡା ଆଦିବାସୀ ଯୁବ ସଙ୍ଗଠନର କର୍ମକର୍ତ୍ତାମାନେ ମଧ୍ୟ ଶତାଧିକ ସଂଖ୍ୟାରେ ଉପସ୍ଥିତ ରହି ଦାବି ଉପସ୍ଥାପନ କରିଥିଲେ । ଏ ବାବଦରେ ଆଦିବାସୀଙ୍କୁ ଉପେକ୍ଷା କରୁଥିବା ମୟୂରଭଞ୍ଜ ଜିଲା ଆଦିବାସୀ ସମାଜ ବରଦାସ୍ତ କରିବେ ନାହିଁ ବୋଲି କଡା ଚେତାବନୀ ଦିଆଯାଇଛି।
ରାଜ୍ୟରେ ୧୬୦ରୁ ଊଦ୍ଧର୍‌ବ ଜନଜାତି ସମ୍ପ୍ରଦାୟକୁ ରାଜ୍ୟ ଜନଜାତି ତାଲିକାରେ ଅନ୍ତର୍ଭୁକ୍ତ କରିବାରେ କେନ୍ଦ୍ରର ଅବହେଳା ବିରୋଧରେ ବିଜୁ ଜନତା ଦଳ ପକ୍ଷରୁ କଡା ସମାଲୋଚନା କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଜିଲାପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା, ବାରିପଦା ପୌରାଧ୍ୟକ୍ଷ କୃଷ୍ଣାନନ୍ଦ ମହାନ୍ତି, ଆଦିବାସୀ ଉନ୍ନୟନ ପରିଷଦର ଅଧ୍ୟକ୍ଷ ଦେବାଶିଷ ମାରାଣ୍ଡି, ପ୍ରାକ୍ତନ ମନ୍ତ୍ରୀ ସରୋଜିନୀ ହେମ୍ବ୍ରମ, ପ୍ରାକ୍ତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି, କାଉନସିଲର ଦେବାଶିଷ ପାତ୍ର, ପ୍ରାକ୍ତନ ବିଧାୟକ ଭାଦବ ହାଁସଦା, ବିଜୁ ଛାତ୍ର ଜନତା ଦଳର ସଭାପତି ସୁନୀଲ କୁମାର ନାୟକ, ବିଜୁ ଯୁବ ଜନତା ଦଳର ଜିଲା ସଭାପତି ଅରୁଣ ବରାଡ ପ୍ରମୁଖ ଉପସ୍ଥିତ ଥିଲେ।