Categories: ଦେବଗଡ଼

ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ: କଂଗ୍ରେସ ପାଳିଲା ଆଦିବାସୀ ଗଣହତ୍ୟା ଶ୍ରଦ୍ଧାଞ୍ଜଳି ଦିବସ

ଦେବଗଡ଼,୩।୧(ଡି.ଏନ.ଏ) ଦେବଗଡ ଜିଲା କଂଗ୍ରେସ କମିଟି ପକ୍ଷରୁ ଶନିବାର ଆଦିବାସୀ ଗଣହତ୍ୟା ଶ୍ରଦ୍ଧାଞ୍ଜଳି ଦିବସ ଭାବେ ପାଳନ କରାଯାଇଛି। ଏଥି ନିମନ୍ତେ ଏକ ଶୋଭାଯତ୍ରା ସହ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଜିଲା କଂଗ୍ରେସ ସଭାପତି ଉମାଶଙ୍କର ସାହୁଙ୍କ ନେତୃତ୍ୱରେ ଦଳୀୟ ନେତା ଓ କର୍ମୀ ସ୍ଥାନୀୟ ଆହାର କେନ୍ଦ୍ର ନିକଟରୁ ଏକ ଶୋଭାଯାତ୍ରାରେ ବାହାରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ ା ସେଠାରେ ଆୟୋଜିତ ପ୍ରତିବାଦ ସଭାରେ ଦଳୀୟ ନେତୃବୃନ୍ଦ ୨୦୦୬ ମସିହାରେ ଭାଜପା-ବିଜେଡି ମିଳିତ ସରକାର ସମୟରେ ଯାଜପୁର ଜିଲା କଳିଙ୍ଗନଗରରେ ୧୬ଜଣ ନିରୀହ ଆଦିବାସୀଙ୍କୁ ହତ୍ୟା ଘଟଣାର ସ୍ମୃତିଚାରଣ କରିଥିଲେ। ନିହତ ଆଦିବାସୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାସହ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଥିଲେ ା ଏହି ଶୋଭାଯାତ୍ରାରେ ଜିଲା କଂଗ୍ରେସ ସଭାନେତ୍ରୀ ମଞ୍ଜୁଲତା ନାୟକ, ନଗର କଂଗ୍ରେସ ସଭାପତି ପ୍ରକାଶ ଚନ୍ଦ୍ର ଦେବତା, ଜିଲା କଂଗ୍ରେସ ସମ୍ପାଦକ କ୍ଷିତିଶ ପ୍ରଧାନ, ଜିଲା କଂଗ୍ରେସ ଆଦିବାସୀ ସେଲ ସଭାପତି କ୍ଷେତ୍ର କୁମାର ପାତ୍ର, ଏସ୍‌ଟି ସେଲ ସଭାପତି ମଞ୍ଜୁଳ କୁମାର ନାୟକ, ବରିଷ୍ଠ କଂଗ୍ରେସ ନେତା ବସନ୍ତ କୁମାର ମିଶ୍ର, କଂଗ୍ରେସ ମିଡିଆ ସେଲ ସଂଯୋଜକ ପଞ୍ଚୁଲାଲ ବରେଇ, ସୁଶୀଲ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।