ଓଏସ୍‌ଏସ୍‌ସି କାର୍ଯ୍ୟାଳୟ ଆଗରେ ସାଷ୍ଟାଙ୍ଗ ଦଣ୍ଡବତ କରି ବିକ୍ଷୋଭ

ଭୁବନେଶ୍ୱର,୨୫ା୭(ଅନୁରାଧା ମହାରଣା):ଜେଇ ସିଭିଲ ମେନ୍‌ ପ୍ରଶ୍ନପତ୍ର ଲିକ୍‌ ଘଟଣାକୁ ନେଇ ଅସନ୍ତୋଷ ତେଜିବାରେ ଲାଗିଛି। ପ୍ରତିବାଦରେ ଭୁବନେଶ୍ୱରସ୍ଥିତ ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିଶନ (ଓଏସ୍‌ଏସ୍‌ସି) କାର୍ଯ୍ୟାଳୟ ସମ୍ମୁଖରେ ବେକାରି ଡିପ୍ଲୋମା ଇଞ୍ଜିନିୟର୍ସ ସଂଘ ବିକ୍ଷୋଭ ପ୍ରଦର୍ଶନ କରିଛି। ବିକ୍ଷୋଭକାରୀମାନେ ପ୍ରଶ୍ନପତ୍ର ବିକ୍ରିରେ ଓଏସ୍‌ଏସ୍‌ସି କାର୍ଯ୍ୟାଳୟ ଅଧିକାରୀଙ୍କ ସମ୍ପୃକ୍ତିଥିବା ଅଭିଯୋଗ ଆଣିବା ସହ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ତେବେ ଓଏସ୍‌ଏସ୍‌ସି ଚେୟାରମ୍ୟାନ୍‌ଙ୍କ ନିକଟରେ ଦାବି ଉପସ୍ଥାପନ ପାଇଁ ଯିବାବେଳେ ପୋଲିସ ସେମାନଙ୍କୁ ଅଟକାଇଥିଲା। ଏପରିକି ବହୁ ସମୟ ଧରି ଅପେକ୍ଷା ପରେ ବି ଓଏସ୍‌ଏସ୍‌ସି ଚେୟାରମ୍ୟାନ ସେମାନଙ୍କ ପାଖକୁ ନ ଆସିବାରୁ ବିକ୍ଷୋଭକାରୀମାନେ ଗେଟ୍‌ ସମ୍ମୁଖରେ ସାଷ୍ଟାଙ୍ଗ ଦଣ୍ଡବତ କରୁଥିବା ଦେଖିବାକୁ ମିଳିଥିଲା। ଏହାସତ୍ତ୍ୱେ ସେମାନଙ୍କୁ ଅନୁମତି ନ ମିଳିବାରୁ ସେମାନେ ଖାଲି ପାଦରେ ଚାଲି ଚାଲି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଅଭିମୁଖେ ଯାଇଥିଲେ। ତେବେ ସେଠାରେ ମଧ୍ୟ ପୋଲିସ୍‌ ସେମାନଙ୍କୁ ଅଟକାଇଥିଲା। ପରେ ଅଭିଯୋଗ ପ୍ରକୋଷ୍ଠକୁ ଯିବାକୁ ୫ଜଣଙ୍କୁ ଅନୁମତି ମିଳିଥିଲା। ଏହାକୁ ନେଇ ସେମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଥିଲା। ସେମାନେ କହିଛନ୍ତି, ସରକାର ଛାତ୍ରୀଛାତ୍ରଙ୍କୁ ଆତଙ୍କବାଦୀ ଭଳି ବ୍ୟବହାର କରୁଛନ୍ତି। ଆମେ କମିଶନଙ୍କୁ ଭେଟିବାକୁ ଗଲୁ, କିନ୍ତୁ ଭେଟିବାକୁ ଦିଆଗଲା ନାହିଁ। ଯଦି ମୁଖ୍ୟମନ୍ତ୍ରୀ ମଧ୍ୟ ଆମ କଥା ନ ଶୁଣନ୍ତି, ତେବେ ସମୂହ ଆତ୍ମାହୁତି ଦେବୁ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ସେହିପରି ଆନ୍ଦୋଳନକାରୀଙ୍କ ଅଭିଯୋଗ ଅନୁସାରେ, ରାଜ୍ୟରେ ‘୫-ଟି’ର ଗୋଟିଏ ‘ଟି’ କାମ କରୁଛନ୍ତି। ତାହା ହେଉଛି ଦୁର୍ନୀତିର ଟିମ୍‌ ୱାର୍କ। ୫-ଟି ସଚିବ ରାଜ୍ୟ ସାରା ବୁଲୁଛନ୍ତି। ପ୍ରଶ୍ନପତ୍ର ଲିକ୍‌ ହେଉଛି, ଲକ୍ଷ ଲକ୍ଷ ପିଲାଙ୍କ ଭବିଷ୍ୟତ ସହ ଖେଳାଯାଉଥିବାବେଳେ ସଚିବଙ୍କୁ କ’ଣ ଏହା ଜଣାପଡୁନାହିଁ ବୋଲି ସେମାନେ ପ୍ରଶ୍ନ କରିଛନ୍ତି।
ସୂଚନାଥାଉ କି, ଜୁଲାଇ ୧୬ରେ ଜେଇ ସିଭିଲ ମେନ୍‌ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ମାତ୍ର ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ନେଇ ଅଭିଯୋଗ ହେବା ପରେ ବାଲେଶ୍ବର ଏସ୍‌ପି ସାଗରିକା ନାଥ ଏହାର ତଦନ୍ତ କରି ରିପୋର୍ଟ ଦେଇଥିଲେ। ଉକ୍ତ ରିପୋର୍ଟ ଭିତ୍ତିରେ ପରୀକ୍ଷା ରଦ୍ଦ ହୋଇଛି। ସେପ୍ଟେମ୍ବର ୩ରେ ପୁଣି ଜେଇ ସିଭିଲ ପରୀକ୍ଷା ହେବ ବୋଲି ଓଏସ୍‌ଏସ୍‌ସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

Share