
ଛତପୁର,୨୮ା୩(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଗଞ୍ଜାମ ବ୍ଲଳ କୁଜିଢେପା ଗ୍ରାମରେ ଥିବା ଅଙ୍ଗନଓ୍ବାଡ଼ି କେନ୍ଦ୍ର ୧୩ ମାସ ହେଲା ବନ୍ଦ ରହିଛି। ଅପରପକ୍ଷରେ ଗ୍ରାମବାସୀଙ୍କ ପକ୍ଷରୁ ବାରମ୍ବାର ଆନ୍ଦୋଳନ ଓ ଜିଲାପାଳଙ୍କଠାରୁ ଆରମ୍ଭ କରି ଜିଲା ସମାଜମଙ୍ଗଳ ଅଧିକାରୀ, ସିଡିପିଓଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ତେବେ ଦୀର୍ଘ ୧୩ ମାସ ପରେ ଉକ୍ତ ସମସ୍ୟା ସମାଧାନ କରିବାରେ ପ୍ରଶାସନ ବିଫଳ ରହିଛି। ଏନେଇ ଗ୍ରାମବାସୀ ତାତି ଉଠିଛନ୍ତି ସମସ୍ୟା ସମାଧାନ ନେଇ ଛତ୍ରପୁରସ୍ଥିତ ଗଞ୍ଜାମ ଜିଲାପାଳଙ୍କ ସମ୍ମୁଖରେ ଗ୍ରାମବାସୀଙ୍କ ପକ୍ଷରୁ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।
ସୂଚନାଯୋଗ୍ୟ ଗତ ସପ୍ତାହରେ ଗ୍ରାମବାସୀ ପୁଣି ଛତ୍ରପୁର ଆସି ଜିଲାପାଳ ଅନୁପସ୍ଥିତ ଥିବାରୁ ଜିଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ଭେଟି ଏସମ୍ପର୍କରେ ଆଲୋଚନା କରିଥିଲେ ଏବଂ ଅଙ୍ଗନଓ୍ବାଡ଼ି କର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ। କାର୍ଯ୍ୟାନୁଷ୍ଠାନ ପାଇଁ ଜିଲା ସମାଜ ମଙ୍ଗଳ ଅଧିକାରୀ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଅଙ୍ଗନଓ୍ବାଡ଼ି କର୍ମୀଙ୍କ ସପକ୍ଷରେ ଆସି ସମ୍ପୃକ୍ତ ଅଙ୍ଗନଓ୍ବାଡ଼ି କର୍ମୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଆକ୍ରୋଶମୂଳକ ବୋଲି ନିଖିଳ ଓଡ଼ିଶା ଅଙ୍ଗନଓ୍ବାଡ଼ି କର୍ମୀ ସଂଘ ଗଞ୍ଜାମ ଜିଲା ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟର ଜିଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ପରେ ସମସ୍ୟା ସମାଧାନ ନେଇ ଜିଲା ସମାଜ ମଙ୍ଗଳ ଅଧିକାରୀଙ୍କଠାରୁ ପ୍ରତିଶ୍ରୁତି ପାଇବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ଗର୍ଭବତୀ ଓ ଶିଶୁମାନେ ସମସ୍ୟା ଦେଇ ଗତି କରୁଛନ୍ତି। ଉକ୍ତ ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ୯ ମାସ ହେଲା ବନ୍ଦ ରହିବା ପରେ ୩ ମାସ ହେଲା କେବଳ ଖାଦ୍ୟ କେନ୍ଦ୍ରର ସହାୟିକାଙ୍କ ଦ୍ୱାରା ବଣ୍ଟନ ହେଉଥିଲା। ତାହା ମଧ୍ୟ ପୁଣି ବନ୍ଦ ହୋଇଯାଇଛି। ଫଳରେ ଗର୍ଭବତୀ ଶିଶୁମାନେ ବିଶେଷ ପ୍ରଭାବିତ ହୋଇଛନ୍ତି। ଖାଦ୍ୟ ଯୋଗାଣଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ ପରୀକ୍ଷା, ଔଷଧ ବଣ୍ଟନ, ପାଠପଢ଼ା ଓ ସରକାରଙ୍କ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହୋଇପାରୁନି।