ଝାଟିଆ ବିଦ୍ୟୁତ୍‌ ଷ୍ଟ୍ରକ୍‌ଚର ସମ୍ମୁଖରେ ଧାରଣା

ଖଇରା, ୧୨।୫: ବାଲେଶ୍ୱର ଜିଲା ଖଇରା ବିଦ୍ୟୁତ୍‌ ଉପଖଣ୍ଡରେ କ୍ରମାଗତ ୩ମାସ ଧରି ବିଦ୍ୟୁତ୍‌ ବିଭ୍ରାଟକୁ ନେଇ ଉପଭୋକ୍ତା ହଇରାଣ ହେଉଛନ୍ତି। ଗତ ୩ଦିନ ଧରି ରାତିତମାମ ବିଦ୍ୟୁତକାଟ ଉପଭାକ୍ତାଙ୍କୁ କନ୍ଦାଉଛି। ପ୍ରତିବାଦରେ ଝାଟିଆ ବିଦ୍ୟୁତ ଷ୍ଟ୍ରକଚର ସମ୍ମୁଖରେ ଶତାଧିକ ଉପଭୋକ୍ତା ଧାରଣାରେ ବସି ରହିଥିଲେ। ପରେ ଟାଟା ପାୱାର ଖଇରା ଫିଡର ଯନ୍ତ୍ରୀ ଶଶାଙ୍କ ଶେଖର ପଣ୍ଡା ଘଟଣାସ୍ଥଳରେ ପହଞ୍ଚି ଉପଭୋକ୍ତାଙ୍କ ସହ ଆଲୋଚନା ଅବସରରେ ସମସ୍ୟାର ସମାଧାନ ପାଇଁ ସୋର ନିର୍ବାହୀଯନ୍ତ୍ରୀଙ୍କ ନେତୃତ୍ୱରେ ଏକ ଟିମ୍‌ ଶୁକ୍ରବାର ଝାଟିଆ ଷ୍ଟ୍ରକଚରକୁ ଆସିବେ ବୋଲି ପ୍ରତିଶ୍ରୁତି ଦେବା ପରେ ସେମାନେ ଧାରଣାରୁ ଉଠିଥିଲେ।
ଅଭିଯୋଗ ଅନୁଯାୟୀ ଟାଟା ପାୱାର ଦାୟିତ୍ୱ ନେବା ଦିନଠାରୁ ବିଦ୍ୟୁତ ବିଭ୍ରାଟ ଗୁରୁତର ରୂପ ଧାରଣ କରିଛି। କିଛି ବର୍ଷା ପବନ ନ ଥାଇ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତକାଟ କରାଯାଉଛି। ବିଦ୍ୟୁତ କାଟ ନ କରିବାକୁ ମୁଖ୍ୟମନ୍ତ୍ରୀ ତାଗିଦ୍‌ କରିବା ସତ୍ତ୍ୱେ ଅଧିକାରୀମାନେ ଏହାକୁ ଅମାନ୍ୟ କରାଯାଉଥିବା ନେଇ ଉପଭୋକ୍ତାମାନେ କହିଛନ୍ତି। ଯଦି ଶୁକ୍ରବାର ଆଲୋଚନା ପରେ ସ୍ଥାୟୀ ସମାଧାନ କରା ନ ଯାଏ ତେବେ ଉପଭୋକ୍ତାମାନେ ଆମରଣ ଅନଶନରେ ବସିବାକୁ ଚେତାବନୀ ଦେଇଛନ୍ତି।