ନୂଆଦିଲ୍ଲୀ,୨୫ା୩(ପି.ଟି.): ଗଣତନ୍ତ୍ର ବିପଦରେ ଥିବା ଅଭିଯୋଗ କରି ଏବଂ ଆଦାନୀ ଗ୍ରୁପ୍ ପ୍ରସଙ୍ଗର ଜେପିସି ତଦନ୍ତ ଦାବିରେ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଶୁକ୍ରବାର ପାର୍ଲାମେଣ୍ଟ ଭବନ ପରିସରରେ ବିକ୍ଷୋଭ ଶୋଭାଯାତ୍ରା କରାଯାଇଛି। ଧାରା ୧୪୪ର ଉଲ୍ଲଂଘନ ଅଭିଯୋଗରେ କେ.ସି. ବେଣୁଗୋପାଳ, ଅଧୀର ଚୌଧୁରୀ, କେ. ସୁରେଶ, ମନିକାମ ଟାଗୋର, ଇମ୍ରାନ୍ ପ୍ରତାପଗଡ଼ି ଏବଂ ମହମ୍ମଦ ଜାଭେଦଙ୍କ ସମେତ ୩୦ ପ୍ରମୁଖ ନେତାଙ୍କୁ ପୋଲିସ ବିଜୟ ଚୌକରେ ଅଟକାଇବା ସହ ଅଟକ ରଖିଛି। ବିଜୟ ଚୌକରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ସମେତ ଅନ୍ୟ ନେତାମାନେ ୨୦୧୯ର ଏକ ମାନହାନି ମାମଲାରେ ସୁରଟ କୋର୍ଟ ରାହୁଲ ଗାନ୍ଧୀଙ୍କୁ ଦୋଷୀସାବ୍ୟସ୍ତ କରିବା ପ୍ରସଙ୍ଗ ଉଠାଇଥିଲେ। ସରକାର ବିରୋଧୀ ନେତାମାନଙ୍କ ସ୍ବରକୁ ଚାପିଦେବା ଲାଗି ମିଥ୍ୟା ମାମଲାରେ ଟାର୍ଗେଟ କରୁତ୍ଥବା ସେମାନେ ଅଭିଯୋଗ କରିଥିଲେ। ସଂସଦ ଭବନ ପରିସରରେ ବିକ୍ଷୋଭ ପରେ ଅନେକ ବିରୋଧୀ ଦଳ ନେତା ‘ଗଣତନ୍ତ୍ର ବିପଦରେ’ ଲେଖାଥିବା ବ୍ୟାନର ଧରି ବିଜୟଚୌକକୁ ଶୋଭାଯାତ୍ରାରେ ବାହାରିଥିଲେ। ଆଦାନୀ ପ୍ରସଙ୍ଗରେ ଜେପିସି ତଦନ୍ତ ନ ହେବା ପର୍ଯ୍ୟନ୍ତ ଆମେ ମିଳିତ ଭାବେ ଲଢ଼େଇ ଜାରି ରଖିବୁ ବୋଲି ଖାର୍ଗେ କହିଥିଲେ।