ବିଦ୍ୟୁତ୍‌ ବିଭ୍ରାଟ ନେଇ ୭ ଗ୍ରାମବାସୀଙ୍କ ବିକ୍ଷୋଭ

ଭଞ୍ଜନଗର,୯ା୨(ଡି.ଏନ୍‌.ଏ.): ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡର ଅନେକ ଗ୍ରାମରେ ଗତ ୪ ମାସ ହେବ ବିଦ୍ୟୁତ୍‌ ବିଭ୍ରାଟ ଲାଗିରହିଛି । ସନ୍ଧ୍ୟା ହେଲେ ଆପେ ଆପେ ବିଦ୍ୟୁତ ଚାଲିଯାଇ ପ୍ରାୟ ୧୬ ଘଣ୍ଟା ପରେ ଆସୁଛି। ଦିନରେ ମାତ୍ର ୭ରୁ ୮ ଘଣ୍ଟା ବିଦ୍ୟୁତ୍‌ ରହିବା ପରେ ପୁଣି ସନ୍ଧ୍ୟା ୫ ଟାରେ ଚାଲିଯାଉଛି। ହାତୀ ଏବଂ ଅନ୍ୟ ବନ୍ୟ ପ୍ରାଣୀଙ୍କୁ ବିଦ୍ୟୁତ ଆଘାତରୁ ରକ୍ଷା କରିବାକୁ ଯାଇ ଟାଟା ପାୱାର ଏବଂ ବନ ବିଭାଗ ମିଳିତ ଭାବେ ନିଷ୍ପତ୍ତି ନିଆଯାଉଛି। ତେଣୁ ବିଦ୍ୟୁତ ସେବା ସ୍ବାଭାବିକ କରିବା ଦାବି ନେଇ ୭ ଗ୍ରାମବାସୀ ଶୁକ୍ରବାର ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ଏବଂ ଟାଟା ପାୱାର ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହାପରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଦାବିଗୁଡିକ ପୂରଣ ଦିଗରେ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନ ନିଆ ନ ଗଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି କେତେଜଣ ଗ୍ରାମବାସୀ କହିଛନ୍ତି।