ଶ୍ରୀଲଙ୍କା ରାଷ୍ଟ୍ରପତି ଭବନ ସମ୍ମୁଖରେ ବିରୋଧ ପ୍ରଦର୍ଶନ, କଲମ୍ବୋରେ କର୍ଫ୍ୟୁ

କଲମ୍ବୋ,୧ ।୪: ଶ୍ରୀଲଙ୍କାରେ ଲାଗି ରହିଥିବା ଆର୍ଥିକ ସଙ୍କଟ ମଧ୍ୟରେ ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେଙ୍କ ଇସ୍ତଫା ଦାବି କରାଯାଉଛି । ଗୁରୁବାର ରାଷ୍ଟ୍ରପତିଙ୍କ ଆବାସ ସମ୍ମୁଖରେ ହୋଇଥିବା ବିରୋଧ ପ୍ରଦର୍ଶନ ହିଂସାର ରୂପ ନେଇଛି । ଫଳରେ ଖବରଦାତାଙ୍କ ସମେତ ପ୍ରାୟ ୧୦ ଜଣ ଆହତ ହୋଇଛନ୍ତି । ଫଳରେ ପୋଲିସ ଲୁହବୁହା ଗ୍ୟାସ ଛାଡିବା ସହ ପାଣି ସ୍ପ୍ରେ କରିବାକୁ ବାଧ୍ୟ ହୋଇଥିଲା । ଆହତଙ୍କୁ ତୁରନ୍ତ କଲମ୍ବୋ ରାଷ୍ଟ୍ରୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନାଯୋଗ୍ୟ, ଶ୍ରୀଲଙ୍କାରେ ବୈଦଶିକ ମୁଦ୍ରା କମ୍ କାରଣରୁ ଅତ୍ୟାବଶ୍ୟକ ସାମଗ୍ରୀର ଆବଶ୍ୟକତା ପୂରଣ କରାଯାଇପାରୁ ନାହିଁ । ରୋଷେଇ ଗ୍ୟାସ ମହଙ୍ଗା ହେବା, କାଗଜ ଅଭାବରୁ ପ୍ରିଣ୍ଟିଂ ସଂସ୍ଥା ବନ୍ଦ ହୋଇଯିବା, ଦିନକୁ ୧୩ ଘଣ୍ଟା ବିଜୁଳି ଯୋଗାଣ ବନ୍ଦ ରହିବା ଭଳି ପରସ୍ଥିତିର ସାମ୍ନା କରିବାକୁ ପଡୁଛି । ଏହାକୁ ଦେଖି ଲୋକେ ରାଜପାକ୍ଷେ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଛନ୍ତି । ଲୋକେ କହିଛନ୍ତି ଠିକ୍ ପ୍ରବନ୍ଧନ କରା ନ ଯିବାରୁ ବିଦେଶୀ ମୁଦ୍ରା ସଙ୍କଟ ଗମ୍ଭୀର ହୋଇଯାଇଛି ।
ଏପରି ସମସ୍ୟାର ସମାଧାନ କରିବାକୁ ସରକାର ବିଫଳ ହୋଇଥିବାରୁ ଲୋକେ ବିରୋଧ ପ୍ରଦର୍ଶନ କରିଛନ୍ତି । ତେବେ ବିରୋଧ ପ୍ରଦର୍ଶନ ସମୟରେ ଲୋକେ ସେନାର ଏକ ବସ ଓ ଜିପକୁ ଜାଳିଦେଇଥିବାରୁ ପୋଲିସ ଓ ଜନତାଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି । ଫଳରେ କଲମ୍ବୋର କିଛି ସ୍ଥାନରେ କର୍ଫ୍ୟୁ ଲାଗୁ କରାଯାଇଛି ।

Share