ଟେନ୍ସା, ୧।୧୦(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା ଟେନସାସ୍ଥିତ ରାଉରକେଲା ଇସ୍ପାତ କାରଖାନା ସହବନ୍ଧିତ ବରସୁଆଁ ଲୌହଖଣି (ସେଲ)ର ଶ୍ରମିକ ମାନଙ୍କୁ ବୋନସ ନ ମିଳିବା ନେଇ ବରସୁଆଁ ଲୌହଖଣି ସମୂଖରେ ବିଭିନ୍ନ ଶ୍ରମିକ ସଙ୍ଗଠନ ପକ୍ଷରୁ ବିକ୍ଷୋଭ କରାଯାଇଥିଲା। ଦୁର୍ଗାପୂଜା ଆସିଲେ ଖଣି ଅଞ୍ଚଳରେ କାର୍ଯ୍ୟରତ ଶ୍ରମିକମାନଙ୍କୁ ବୋନସ ମିଳିଥାଏ। ବର୍ଷ ତମାମ ଖଣିରେ ଅକ୍ଳାନ୍ତ ପରିଶ୍ରମ କରି ଖଣି ମାଲିକଙ୍କୁ ଲାଭ ଦେଇଥାନ୍ତି। ଖଣି ମାଲିକ ଖୁସିରେ ଶ୍ରମିକମାନଙ୍କୁ ବୋନସ ଦେଇଥାନ୍ତି। ଶ୍ରମିକ ନିଜ ପରିବାର ସହିତ ଖୁସିରେ ଦଶହରାକୁ ପାଳନ କରିଥାନ୍ତି। ହେଲେ ରାଉରକେଲା ଇସ୍ପାତ କାରଖାନା ସହବନ୍ଧିତ ବରସୁଆଁ ଲୌହଖଣି (ସେଲ)ର ଶ୍ରମିକମାନଙ୍କୁ ବୋନସ ମିଳିଲା ନାହିଁ। ସମସ୍ତ ଶ୍ରମିକ ଠିକା ଶ୍ରମିକ ବୋନସ ପାଇବାରୁ ବଞ୍ଚିତ ହୋଇଛନ୍ତି। ସେଲ କର୍ମଚାରୀମାନଙ୍କୁ ୪୫ ହଜାର ଟଙ୍କା ଓ ଠିକା କର୍ମଚାରୀଙ୍କୁ ୨୦ଶତକଡ଼ା ବୋନସ ପ୍ରଦାନ ଦାବିରେ ବିଭିନ୍ନ ଶ୍ରମିକ ସଙ୍ଗଠନମାନେ ବିକ୍ଷୋଭ କରିଥିଲେ। ଦୁର୍ଗା ପୂଜା ପୂର୍ବରୁ ତୁରନ୍ତ ସେଲ ମ୍ୟାନେଜମେଣ୍ଟ ବୋନସ ପ୍ରଦାନ କରନ୍ତୁ ବୋଲି ସ୍ଲୋଗାନ ଦିଆଯାଇଥିଲା। ଏହି ବିକ୍ଷୋଭରେ କେ.ସି ରାଉତ, ନରେଶ କୁମାର ନାୟକ, ଏସ.କେ ସିରାଜଉଦିନ, ଜେ .ମଣ୍ଡଳ ,ଆର. ଏନ ଷଡ଼ଙ୍ଗୀ, ଲୋକନାଥ ପାତ୍ର, ବି.ସି ନାୟକ, କେ.କେ ଦୁବେ, ଏସ.ଶତପଥି, ଏଫ ମାହାନ୍ତ ସମେତ ୨୦୦ରୁ ଊର୍ଦ୍ଧ୍ୱ ଶ୍ରମିକ କର୍ମଚାରୀ ବିକ୍ଷୋଭରେ ଭାଗ ନେଇଥିଲେ।