
ଗୁଆହାଟୀ,୧୩ା୪: ପଶ୍ଚିମବଙ୍ଗରେ ଲାଗିଥିବା ଓ୍ବକ୍ଫ ଆଇନ ବିରୋଧୀ ଆନ୍ଦୋଳନର ନିଆଁ ରବିବାର ଆସାମକୁ ବ୍ୟାପିଛି। କେନ୍ଦ୍ର ସରକାରଙ୍କ ଏହି ସଂଶୋଧିତ ଆଇନ ବିରୋଧରେ ଆସାମର ଚମରାଗୁଡ଼ମ୍, ବେରେଙ୍ଗା ଆଦି ସ୍ଥାନରେ ମୁସଲମାନ ସମ୍ପ୍ରଦାୟର ୪୦୦ରୁ ଊର୍ଦ୍ଧ୍ୱ ଲୋକ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ବେରେଙ୍ଗାରେ ଶତାଧିକ ଲୋକ ପ୍ରଶାସନର ବିନା ଅନୁମତିରେ ବିକ୍ଷୋଭ କରୁଥିବା ବେଳେ ପୋଲିସ ସେମାନଙ୍କୁ ହଟିବାକୁ କହିଥିଲା। କେତେଜଣ ବ୍ୟକ୍ତି ଭାଜପା ସରକାର ବିରୋଧରେ ସ୍ଲୋଗାନ ଦେବା ସହ ପୋଲିସକୁ କଳାପତାକା ଦେଖାଇ ଟେକାମାଡ଼ କରିବାରୁ ପୋଲିସ ଲାଠିଚାର୍ଜ କରିଛି। ଏନେଇ ପୋଲିସ ଏକ ମାମଲା ରୁଜୁ କରିଛି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଓ୍ବକ୍ଫ ଆଇନକୁ ନେଇ ସନ୍ତୋଷ ବ୍ୟକ୍ତ କରିବାର ଦିନକ ପରେ ଆସାମରେ ଏହି ବିକ୍ଷୋଭ ମୁଣ୍ଡ ଟେକିଛି।