Categories: ଖେଳ

ସପ୍ତରଙ୍ଗୀ ପତାକା ସହ ପଡ଼ିଆରେ ବିକ୍ଷୋଭକାରୀ

ଲୁସେଲ୍‌,୩୦।୧୧(ଏପି): ଚଳିତ ଫୁଟ୍‌ବଲ ବିଶ୍ୱକପ୍‌ରେ ସୋମବାର ପର୍ତ୍ତୁଗାଲ ଓ ଉରୁଗୁଏ ମଧ୍ୟରେ ଏକ ମ୍ୟାଚ ଖେଳାଯାଉଥିବା ବେଳେ ଜଣେ ବିକ୍ଷୋଭକାରୀ ପଡ଼ିଆ ଭିତରକୁ ପଶିଆସିଥିଲେ। ସେ ନୀଳରଙ୍ଗର ଏକ ସୁପରମ୍ୟାନ ଟି-ଶାର୍ଟ ପରିଧାନ କରିଥିଲେ। ଟି-ଶାର୍ଟ ସମ୍ମୁଖ ଭାଗରେ ‘ୟୁକ୍ରେନ୍‌କୁ ବଞ୍ଚାଅ’ ଏବଂ ପଛପଟେ ‘ଇରାନ ମହିଳାଙ୍କୁ ସମ୍ମାନ’ ଲେଖା ରହିଥିଲା। ତାଙ୍କ ହାତରେ ଏକ ସପ୍ତରଙ୍ଗୀ ପତାକା ରହିଥିଲା। ସୁରକ୍ଷାକର୍ମୀମାନେ ବିକ୍ଷୋଭକାରୀଙ୍କୁ ଗୋଡାଇ ଗୋଡାଇ ଧରିଥିଲେ। ତାଙ୍କ ହାତରୁ ପତାକାଟିକୁ ଛଡ଼ାଇ ନିଆଯିବା ପରେ ପଡ଼ିଆରେ ପକାଇ ଦିଆଯାଇଥିଲା। ରେଫରି ପତାକାଟିକୁ ନେଇ ସାଇଡ୍‌ ଲାଇନରେ ପକାଇ ଦେଇଥିଲେ। ଜଣେ କର୍ମୀ ଏହାକୁ ଉଠାଇ ନେଇଥିଲେ। ଏହି କାରଣରୁ ଖେଳକୁ କିଛି ସମୟ ରୋକିବାକୁ ପଡ଼ିଥିଲା। ବିକ୍ଷୋଭକାରୀଙ୍କୁ ଏକ ଟନେଲ ବାଟ ଦେଇ ବାହାରକୁ ନିଆଯାଇଥିଲା। ସୋସିଆଲ ମିଡିଆ ଜରିଆରେ ବିକ୍ଷୋଭକାରୀଙ୍କୁ ଚିହ୍ନଟ କରାଯାଇଛି। ସେ ହେଉଛନ୍ତି ଇଟାଲୀର ମାରିଓ ଫେରି। ଫୁଟ୍‌ବଲ ମ୍ୟାଚ ବେଳେ ସେ ଅନେକଥର ଏହିଭଳି କାର୍ଯ୍ୟ କରିଛନ୍ତି। ଆୟୋଜକ କମିଟି ଏହି ବ୍ୟକ୍ତିଙ୍କୁ କାତାରରେ ଅବଶିଷ୍ଟ ବିଶ୍ୱକପ୍‌ ମ୍ୟାଚଗୁଡ଼ିକରୁ ବାସନ୍ଦ କରିଛି। ଇଟାଲି ଦୂତାବାସକୁ ଏସମ୍ପର୍କରେ ଅବଗତ କରାଯାଇଛି।

Share