Categories: ଜାତୀୟ

ହରିୟାଣା ମୁଖ୍ୟମନ୍ତ୍ରୀଙ୍କ ଇଭେଣ୍ଟରେ କୃଷକଙ୍କୁ ଗୋଡ଼େଇ ଗୋଡ଼େଇ ପିଟିଲେ

ଚଣ୍ଡିଗଡ଼,୧୬।୫: ହରିୟାଣାରେ କରୋନା ଯୋଗୁ ଲକ୍‌ଡାଉନକୁ ଗୋଟିଏ ସପ୍ତାହ ପାଇଁ ବଢ଼ାଇ ଦିଆଯାଇଛି। ଏହାସତ୍ତ୍ୱେ ହିସାର ଜିଲାର ଏକ କୋଭିଡ୍‌ କେୟାର ସେଣ୍ଟର ଉଦ୍‌ଘାଟନୀ ଉତ୍ସବରେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର। ଏହାକୁ ବିରୋଧ କରିଥିଲେ ଦୀର୍ଘ ଦିନ ହେଲା ବିକ୍ଷୋଭ କରୁଥିବା କୃଷକମାନେ। ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପୋଲିସ ଆନ୍ଦୋଳନକାରୀ କୃଷକଙ୍କୁ ଗୋଡ଼େଇ ଗୋଡ଼େଇ ପିଟିଥିଲା, ଯାହାର ଭିଡ଼ିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଆନ୍ଦୋଳନକାରୀ କୃଷକଙ୍କ ଅନୁଯାୟୀ, ପୋଲିସ ପକ୍ଷରୁ ପ୍ଲାଷ୍ଟିକ୍‌ ବୁଲେଟ୍‌ ଓ ଲୁହ ବୁହା ଗ୍ୟାସ ମଧ୍ୟ ବ୍ୟବହାର କରାଯାଇଥିଲା। ଆଉ କିଛି କୃଷକଙ୍କୁ ଗିରଫ କରାଯାଇଥିବା ଅଭିଯୋଗ ହୋଇଛି।

ଏହି ଘଟଣା ପରେ କୃଷକମାନେ ୯ ନଂ ଜାତୀୟ ରାଜପଥକୁ ପ୍ରାୟ ୨ ଘଣ୍ଟା ପାଇଁ ବନ୍ଦ କରି ଦେଇଥିଲେ। ” ଗିରଫ କରାଯାଇଥିବା କୃଷକଙ୍କୁ ନ ଛଡ଼ାଗଲେ ହରିୟାଣାର ସମସ୍ତ ଥାନା ଘେରାଉ କରାଯିବ। କୋଭିଡ୍‌ ସମୟରେ ୫୦୦ ଲୋକଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ଇଭେଣ୍ଟରେ ଯୋଗଦେବା କ’ଣ ଜରୁରୀ ଥିଲା। ଅନ୍‌ଲାଇନରେ ଏହାର ଉଦ୍‌ଘାଟନ ହୋଇପାରି ନ ଥାନ୍ତା। ରାଜ୍ୟ ସରକାରଙ୍କ ଯୋଗୁ କୋଭିଡ୍‌ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଛି। ଏଥି ଲାଗି ସେମାନେ ଆମକୁ ବଦନାମ କରୁଛନ୍ତି “ ବୋଲି ଦିଲ୍ଲୀ ଓ ହରିୟାଣାର କୁଣ୍ଡଲି ସୀମାରୁ ଭାରତୀୟ କିଷାନ ୟୁନିଅନ ମୁଖ୍ୟ ଗୁରନାମ ସିଂ ଚାରୁନି ଏକ ଭିଡିଓ ଜରିଆରେ କହିଛନ୍ତି।

Share